ଚୋରି ଆଲୁମିନା ପାଉଡର ସହ ୨ ଟ୍ରାକ୍ଟର, ୨ ବୋଲେରୋ, କାର୍‌ ଜବତ, ୨ କୋର୍ଟ ଚାଲାଣ

ଲାଞ୍ଜିଗଡ଼,୧୦ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଈପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମ ନିକଟରୁ ଆଲୁମିନା ପାଉଡର ଚୋରି ଅଭିଯୋଗରେ ସ୍ଥାନୀୟ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମ୍ପାଦେଈପୁର ଗ୍ରାମର ହଳଧର ସାହୁ ଓ ଖମନଖୁଣ୍ଟି ଗ୍ରାମର ବଇଲା କନ୍ଧପାଣି। ସୂଚନାନୁସାରେ ବୁଧବାର ରାତିରେ ଲାଞ୍ଜିଗଡ଼ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଲାଞ୍ଜିଗଡ଼ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ କୌଣସି ସୂତ୍ରରୁ ଆଲୁମିନା ପାଉଡର ଚୋରା ଚାଲାଣ ହେଉଥିବା ଖବର ପାଇ ଏସ୍‌ଆଇ ବଳଭଦ୍ର ଗୌଡ ଓ ପୋଲିସ ବଳ ସହିତ ଚଢାଉ କରିଥିଲେ। ଏହି ସମୟରେ ସେମାନେ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ୫ ଟନ ୮ କୁଇଣ୍ଟାଲ ଆଲୁମିନା ପାଉଡର ଲୋଡ ହୋଇଥିବ । ୨ ଟ୍ରାକ୍ଟର, ୨ ବୋଲେରୋ ପିକ୍‌ଅପ, ଗୋଟିଏ କାର୍‌ ସହିତ ନଗଦ ୫୦ ହଜାର ଜବତ କରିଥିଲେ। ଏ ନେଇ ଲାଞ୍ଜିଗଡ ଥାନାରେ କେସ୍‌ ନଂ.୧/୨୫ରେ ଏକ ମାମଲା ରୁଜୁ କରି ବିଏନ୍‌ଏସ୍‌ ଧାରା ୩୦୭/୩(୫) ଅନୁଯାୟୀ ୨ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜିତେନ୍ଦ୍ର ବିଶାଳଙ୍କଠାରୁ ସୂଚନା ମିଳିଛି ।