୨ ପର୍ଯ୍ୟଟନସ୍ଥଳୀର ହେବ ବିକାଶ: ଖର୍ଚ୍ଚ ହେବ ୨ କୋଟି

ଗଞ୍ଜାମ,୩।୧୨(ବିଦ୍ୟାଧର ସାହୁ ): ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ ପର୍ଯ୍ୟଟନ ସଂଖ୍ୟା ବୃଦ୍ଧି ହେବା ସହ ସ୍ଥାନୀୟ ଅଞ୍ଚଳବାସୀ ଉପକୃତ ହେବେ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ବ୍ଲକରେ ଦୁଇଟି ପର୍ଯ୍ୟଟନସ୍ଥଳ ପାଇଁ ଦୁଇ କୋଟି ଅନୁମୋଦନ ହୋଇଛି। ଗଞ୍ଜାମ ବ୍ଲକରେ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଜିଲା ପ୍ରଶାସନ । ରମ୍ଭା ନିକଟରେ ଥିବା ଗୌରାଙ୍ଗପାଟଣା ନିକଟସ୍ଥ ଥିବା ଚିଲିକା କୂଳରେ ନୂତନ ଭାବେ ପର୍ଯ୍ୟଟନସ୍ଥଳ କରାଯାଇ ଏହାର ଉନ୍ନତିକରଣ ହେବ। ଏଥିପାଇଁ ୧ କୋଟି ୭ ଲକ୍ଷ ୪୧ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଛି। ଚିଲିକା କୂଳରେ ପର୍ଯ୍ୟଟନସ୍ଥଳୀ ନିର୍ମାଣ କରାଗଲେ ପର୍ଯ୍ୟଟକଙ୍କ ଭିଡ଼ ଜମିବ। ପର୍ଯ୍ୟଟକ ଆସିଲେ ଏଠାରୁ ଡ଼ଙ୍ଗା ଯୋଗେ ଚିଲିକା ଭ୍ରମଣ କରିପାରିବେ ଯଦ୍ୱାରା ସ୍ଥାନୀୟ ଡ଼ଙ୍ଗା ଚାଳକ ମାନେ ମଧ୍ୟ ଉପକୃତ ହୋଇ ପାରିବେ।

ଗଞ୍ଜାମ ଜିଲାପାଳ ଭି. କିର୍ତ୍ତୀ ଭାସନ ଉକ୍ତ ସ୍ଥାନକୁ ପରିଦର୍ଶନ କରିବା ସହ ପ୍ରସ୍ତୁତ ହୋଇଥିବା ମ୍ୟାପ୍‌ ଓ ଡିପିଆର ଦେଖିଥିଲେ। କେଉଁଠି କ’ଣ ହେବ ତାହା ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପ୍ରବେଶ ଦ୍ୱାର ଠାରୁ ପାର୍କିଂ ସ୍ଥାନ, ବିଶ୍ରାମଗାର, ପାନୀୟ ଜଳ, ଶୌଚାଳୟରେ, ପର୍ଯ୍ୟଟକମାନେ ବିଶ୍ରାମ ନେବା ଲାଗି ଅତ୍ୟାଧୁନିକ ବିଭିନ୍ନ କାଠରେ ନିର୍ମିତ ଚୌକି, ଫ୍ଲଟିଙ୍ଗ ଜେଟି, ଆଦି ପାଇଁ ପ୍ରସ୍ତୁତ ହୋଇସାରିଛି। ଡିପିଆର ତୁରନ୍ତ ବିଡିଏ ପକ୍ଷରୁ କାମ ଆରମ୍ଭ ହେବା ସେଠାକାର ଉପସ୍ଥିତ ଜନସାଧାରଣ ଓ ମତ୍ସ୍ୟଜୀବୀ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଚିଲିକା ପୋତି ହୋଇ ସଙ୍କୁଚିତ ହେଉଛି। ପଙ୍କ ଓ ଦଳକୁ ବାହାର କରିବା ସହ ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋଚନା କରିଥିଲେ ଜିଲାପାଳ। ପରେ ବ୍ଲକର ଆଉ ଏକ ପ୍ରସିଦ୍ଧ ଶୈବପୀଠ ଅଳେଶ୍ୱର ପରିଦର୍ଶନ କରିଥିଲେ। ଏହାର ଉନ୍ନତିକରଣ ପାଇଁ ପ୍ରାୟ ୯୩. ୫୬ଲକ୍ଷ ଟଙ୍କା ଅନୁମୋଦନ ହୋଇଛି । ଏହି ଟଙ୍କା ବ୍ୟୟରେ ସେଠାରେ ମଧ୍ୟ ପ୍ରବେଶ ପଥ, ପିକନିକ ପିଣ୍ଡି, ପେଭର ରାସ୍ତା , ପାନୀୟ ଜଳ, ଶୌଚାଳୟ ଆଦି ନିର୍ମାଣ କରାଯିବ । ଯାହା ଦ୍ୱାରା ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ ପର୍ଯ୍ୟଟନ ସଂଖ୍ୟା ବୃଦ୍ଧି ହେବ। ଏହା ସାଙ୍ଗକୁ ସ୍ଥାନୀୟ ବାସିନ୍ଦା ବେଶ ଉପକୃତ ହୋଇପାରିବେ ବୋଲି କହିଥିଲେ। ଦୀର୍ଘଦିନ ଧରି ଏହାର ବିକାଶ ପାଇଁ ଦାବି ହୋଇ ଆସୁଥିଲା । ଏହି ସମୀକ୍ଷା ବେଳେ ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ବିଡିଏ ସଚିବ ରମେଶ ହାଁସଦା, ଜିଲା ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ ହାଁସଦା, ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ର ଓ ବିଡିଓ ଅଚ୍ୟୁତାନନ୍ଦ ଯାନୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ ମତ୍ସ୍ୟଜୀବୀ ନେତା ଭୀମ ସେନ ବେହେରା, ସ୍ଥାନୀୟ ଜନ ପ୍ରତିନିଧି, ଅଞ୍ଚଳର ଗ୍ରାମବାସୀ  ଉପସ୍ଥିତ ଥିଲେ। ପରେ ରାସ୍ତାରେ ଯିବା ବେଳେ ମହିଳା ସଂଘ ପକ୍ଷରୁ କରାଯାଉଥିବା ଅରର୍କିଟ ଫୁଲ ଚାଷ ମଧ୍ୟ ଜିଲାପାଳ ଦେଖିଥିଲେ। ପରିଦର୍ଶନ କରି ଏହାର ସମୀକ୍ଷା କରିଥିବାରୁ ସ୍ଥାନୀୟ ଗ୍ରାମବାସୀ  ଜିଲାପାଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Dharitri – Odisha’s No.1 Odia Daily

Share