ସରସ୍ବତୀଙ୍କ ପୂଜାରେ ଲଜ୍ଜା: ମଦ ପିଇ ବଜାରରେ ଗଡିଲେ ୨ ଛାତ୍ର

ଫୁଲବାଣୀ, ୨୪ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟକୁ ବିବାଦ ପିଛା ଛାଡୁନି। ଛାତ୍ରାବାସରେ ରହି ପଢ଼ୁଥିବା ଛାତ୍ରୀମାନେ ଗର୍ଭବତୀ ହେବା ଘଟଣାକୁ ନେଇ ପୂର୍ବରୁ କେତୋଟି ବିଦ୍ୟାଳୟ ଚର୍ଚ୍ଚାକୁ ଆସିଥିବାବେଳେ ଏବେ ଟିକାବାଲିର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପରିଚାଳିତ ଏକ ବିଦ୍ୟାଳୟ ଚର୍ଚ୍ଚାକୁ ଆସିଛି। ଶୁକ୍ରବାର ସରସ୍ବତୀ ପୂଜା ଦିନ ଏହି ବିଦ୍ୟାଳୟର ୨ଜଣ ଛାତ୍ର ବଜାରକୁ ଆସି ମଦ ପିଇ ନିଶାସକ୍ତ ହୋଇ ପଡିରହିବା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ଟିକବାଲି ବ୍ଲକ ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମଶ୍ରେଣୀରେ ପଢୁଥିବା ଏହି ଦୁଇ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ଛାତ୍ରାବାସରୁ ସରସ୍ବତୀ ପୂଜାରେ ଯୋଗଦେବାକୁ ଆସିଥିଲେ। ପରେ ସେମାନେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ ବଜାରକୁ ଯାଇ ମଦ୍ୟପାନ କରି ଉଭୟେ ନିଶାସକ୍ତ ଅବସ୍ଥାରେ ଟିକାବାଲି ପୋଷ୍ଟ ଅଫିସ ନିକଟରେ ଥିବା ବିଏସ୍‌ଏନ୍‌ଏଲ ଟାୱାର ତଳେ ଅଚେତ ଅବସ୍ଥାରେ ପଡିଥିଲେ। ସ୍ଥାନୀୟ ଲୋକେ ଏବଂ କିଛି ବୁଦ୍ଧିଜୀବୀ ଏହି ଦୁଇ ଛାତ୍ରଙ୍କୁ ଦେଖି ପ୍ରଧାନଶିକ୍ଷକ କାମରାଜ କହଁରଙ୍କୁ ଖବର ଦେଇଥିଲେ। ପରେ ଦୁଇ ଛାତ୍ରଙ୍କୁ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ପରୀକ୍ଷା ପରେ ସେମାନେ ପ୍ରଚୁର ମଦ୍ୟପାନ କରିଥିବା ଜଣାପଡିଥିଲା। ଶୁକ୍ରବାର ପୂଜା ଥିଲା। ଏହାର ସୁଯୋଗ ନେଇ ଦୁଇ ଛାତ୍ର ବାହାରକୁ ଯାଇ ଏଭଳି କାମ କରିଛନ୍ତି। ଆମେ ସେମାନଙ୍କ ଅଭିବାବକଙ୍କୁ ଖବର ଦେବାରୁ ସେମାନେ ଆସି ପିଲାଙ୍କୁ ଘରକୁ ନେଇଛନ୍ତି। ପିଲାମାନେ ଶୃଙ୍ଖଳାରେ ରହିବା ପାଇଁ ଆମେ ଚେଷ୍ଟା କରୁଛୁ। ବିଦ୍ୟାଳୟଗୁଡିକ ଦଣ୍ଡମୁକ୍ତ ଅଞ୍ଚଳ ହେବା ପରେ ଆମେ କଠୋର ପଦକ୍ଷେପ ନେଇପାରୁନୁ।ଏହାର ଫାଇଦା ନେଇ କିଛି ଅମାନିଆ ପିଲା ଏଭଳି ବିଶୃଙ୍ଖଳିତ ହେଉଛନ୍ତି ବୋଲି ପ୍ରଧାନ ଶିକ୍ଷକ କହଁର କହିଛନ୍ତି।

Dharitri – Odisha’s No.1 Odia Daily

Share
Tags: odisha