ଭବାନୀପାଟଣା,୩୧ା୩(ଉତ୍ତମ କୁମାର ଦାଶ):ମାଇଁ ଭାରତ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ପାଇଁ କଳାହାଣ୍ଡି ଜିଲାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ୱ ଅର୍ଜନ କରିଥିବା ୫ ଛାତ୍ରୀଛାତ୍ର ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଗତ ଦୁଇ ଦିନ ଧରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଯୁବଶକ୍ତିଙ୍କ ନେତୃତ୍ୱରେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ, ସେଥିପାଇଁ ଏହି ବକ୍ତବ୍ୟର ପରିକଳ୍ପନା କରାଯାଇଛି। ଏହି ବକ୍ତୃତାରେ ଭବାନୀପାଟଣା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସ୍ନାତକ ଦ୍ୱିତୀୟ ବର୍ଷ ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ସୁଶ୍ରୀ ସ୍ମୃତି ରଥ ଦ୍ୱିତୀୟ ଓ ସମାଜବିଜ୍ଞାନ ବିଭାଗର ପ୍ରାକ୍ତନ ଛାତ୍ରୀ ସୁଶ୍ରୀ ଝାନ୍ସୀ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଉଭୟେ ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ୨୦୨୬ ପାଇଁ ମନୋନୀତ ହୋଇଛନ୍ତି। ଓଡିଶାରୁ ତିନିଜଣ ଛାତ୍ରୀଛାତ୍ର ମଧ୍ୟରୁ କଳାହାଣ୍ଡିରୁ ଦୁଇଜଣ ଛାତ୍ରୀ ସଂସଦ ଭବନରେ ବକ୍ତୃତା ପ୍ରଦାନ କରିବେ। ଯାହାକି ଜିଲା ପାଇଁ ଏକ ଗୌରବର ବିଷୟ। ଫଳାଫଳ ପ୍ରକାଶିତ ହେବାପରେ ୨ ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ଡ. ନିବେଦନ ନାଥଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରୀଛାତ୍ର ଶୁଭେଚ୍ଛା ଜଣାଇଛନ୍ତି ।