ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ):ଗ୍ରାମୀଣ ଏବଂ ଶିଳ୍ପକ୍ଷେତ୍ର ଲାଗି ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଦିଗରେ ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ବରଗଡ଼ ଜିଲାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ୍ ଭିତ୍ତିଭୂମି ପ୍ରକଳ୍ପ ସଫଳତାର ସହ ସମାପ୍ତ ହୋଇ କାର୍ଯ୍ୟକ୍ଷମ କରାଯାଇଛି। ପ୍ରଥମ ପ୍ରକଳ୍ପ ହେଉଛି ସୋହେଲା ପିଏସ୍ଏସ୍ ଅଧୀନ ଛୁରିଆପାଲି ଏବଂ ପଦ୍ମପୁର ଫିଡର ମଧ୍ୟରେ ଏକ ନୂତନ ୧୧କେ.ଭି. ଲିଙ୍କ୍ ଲାଇନର ନିର୍ମାଣ। ମୋଟ୍ ୧.୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଯୋଗୁ ଛୁରିଆପାଲି ଫିଡରରୁ ଓଭରଲୋଡିଂ ଏବଂ ଲୋ-ଭୋଲଟେଜ୍ ଭଳି ସମସ୍ୟା ଦୂର ହୋଇପାରିଛି। ଏହି ନୂତନ ଲିଙ୍କ୍ ଲାଇନ୍ କାର୍ଯ୍ୟକ୍ଷମ ହେବା ସହିତ ପ୍ରାୟ ୧୨୦ ଆମ୍ପିୟର ଲୋଡ୍ ପଦ୍ମପୁର ଫିଡରକୁ ସ୍ଥାନାନ୍ତର ହୋଇପାରିଛି, ଯାହା ଭୋଲଟେଜ୍କୁ ୭.୩ କେ.ଭି.ରୁ ୯.୮କେ.ଭି.କୁ ବୃଦ୍ଧି କରିଛି। ଏହାସହିତ ୧୭୬ଟି ଉଠାଜଳସେଚନ ସଂଯୋଗକୁ ମଧ୍ୟ ବିଦ୍ୟୁତ୍ ଯୋଗାଣ ହୋଇପାରୁଛି। ଖଲିଆପାଲି, ତାଣ୍ଡୋଳ, ଚିତାଖାଇ, ଏବଂ କେଣ୍ଡବାହାଲୋନ ଗ୍ରାମର ପ୍ରାୟ ୧୮୦୦ରୁ ଅଧିକ ଘରୋଇ ବିଦ୍ୟୁତ୍ ଉପଭୋକ୍ତା ଲାଭବାନ ହୋଇପାରୁଛନ୍ତି। ସେହିପରି ଦ୍ୱିତୀୟ ପ୍ରକଳ୍ପ ସୋହେଲା ପିଏସ୍ଏସରୁ ସଂଯୋଗ ହୋଇଥିବା ୧୧ କେ.ଭି. ସୋହେଲା ଫିଡରର ଉନ୍ନତିକରଣ କାର୍ଯ୍ୟ। ଏହି ପ୍ରକଳ୍ପ ସୋହେଲା ଫିଡରରେ ଦୀର୍ଘକାଳୀନ ଓଭରଲୋଡିଂ ଓ ଲୋ-ଭୋଲଟେଜ୍ ସମସ୍ୟାକୁ ହ୍ରାସ କରିପାରିଛି। ଏହି ଫିଡରରେ ପୂର୍ବରୁ ଥିବା ୩୪ ବର୍ଗ ମିଲିମିଟର କଣ୍ଡକ୍ଟରକୁ ପରିବର୍ତ୍ତନ କରାଯାଇ ୧୦୦ ବର୍ଗ ମିଲିମିଟର ଉନ୍ନତମାନର କଣ୍ଡକ୍ଟର ଲଗାଯାଇଛି। ଫଳରେ ଉକ୍ତ ଅଞ୍ଚଳର ୧୭ଟି ଉଠାଜଳସେଚନ ସଂଯୋଗକୁ ବିଦ୍ୟୁତ୍ ଯୋଗାଣ ସୁବିଧାଜନକ ହୋଇପାରିଛି। ସେହିପରି ୧୦ରୁ ଅଧିକ ଶିଳ୍ପ ଉପଭୋକ୍ତାଙ୍କୁ ମଧ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ହୋଇପାରିଛି ଏବଂ ନିକଟସ୍ଥ ଅଞ୍ଚଳର ପ୍ରାୟ ୧୫୦୦ରୁ ଅଧିକ ଘରୋଇ ଉପଭୋକ୍ତା ତଥା ଛୋଟ ବ୍ୟବସାୟୀଙ୍କ ପାଇଁ ବିଦ୍ୟୁତ୍ ଗୁଣବତ୍ତାରେ ଉନ୍ନତି ଆସିଛି। ଏ ନେଇ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ନିରବଚ୍ଛିନ୍ନ, ନିରାପଦ ଏବଂ ଗୁଣାତ୍ମକ ବିଦ୍ୟୁତ୍ ସୁନିଶ୍ଚିତ କରିବା ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଟିପିଡବ୍ଲ୍ୟୁଓଡିଏଲ୍ ନେଟୱର୍କକୁ ସୁଦୃଢ଼ କରି ଗ୍ରାମାଞ୍ଚଳ ପରିବାର, ଚାଷୀ ଏବଂ ଶିଳ୍ପ କ୍ଷେତ୍ରଗୁଡ଼ିକୁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଟିତ କରାଯାଉଛି। ଏହିପରି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ବର୍ମା ସୂଚନା ଦେଇଛନ୍ତି।