ଖଲ୍ଲିକୋଟ/ଦିଗପହଣ୍ଡି,୨୧ା୯(ପ୍ରଶାନ୍ତ କୁମାର ମିଶ୍ର/ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଓ ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବ୍ରଜରାଜପୁର ଗାଁ ସଂଲଗ୍ନ ଚାଷ ଜମିରେ କାମ କରୁଥିବା ମଥୁରା ପଞ୍ଚାୟତ ଭରସା ନୂଆଁପଲ୍ଲୀ ଗ୍ରାମର ଚନ୍ଦ୍ରମା ଗୌଡ଼ ଓ ଊର୍ମିଳା ଗୌଡ଼ ବଜ୍ରପାତରେ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚନ୍ଦ୍ରମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଊର୍ମିଳାଙ୍କ ଚିକିତ୍ସା ଚାଲିଛି।
ସେହିପରି ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଠା ଗ୍ରାମର ବିଶ୍ୱନାଥ ଗୌଡ(୩୭)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ବିଶ୍ୱନାଥ ତାଙ୍କ ମାମୁଙ୍କ ଘର ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସିନ୍ଧବା ଗ୍ରାମରେ ରହୁଥିବା ବେଳେ ଛେଳି ଚରାଇବା ପାଇଁ ପଡିଆକୁ ଯାଇଥିଲେ।
ଅପରାହ୍ନରେ ହଠାତ୍ ବର୍ଷା ସହ ବଜ୍ରପାତ ହେବାରୁ ପଡ଼ିଆରେ ଟଳି ପଡିଥିଲେ। ତାଙ୍କୁ ତୁରନ୍ତ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ କେ. ନୂଆଗାଁ ଥାନାରେ ଅଭିଯୋଗ ହୋଇଛି।