ମୋରଡା,୨୫/୧୦(ସ୍ମାରକ ମାଜୀ )- ଯାତ୍ରା ଦେଖି ଘରକୁ ଫେରୁଥିବା ସମୟରେ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବାର ଅଭିଯୋଗ ହୋଇଛି l ଏପରି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ l ସୂଚନା ଅନୁଯାୟୀ, ଉକ୍ତ ଥାନା ଅଧୀନ ନଳଗଜା ଗ୍ରାମରେ ଗତ ଅକ୍ଟୋବର ମାସ ୨୨ ତାରିଖରେ ଯାତ୍ରା ପରିବେଷଣ ହେଉଥିଲା l ଉକ୍ତ ଥାନା ଅଞ୍ଚଳର ୨ ଜଣ ଆଦିବାସୀ ନାବାଳିକା ଯାତ୍ରା ଦେଖି ସ୍କୁଟି ଯୋଗେ ରାତି ୧ଟା ସମୟରେ ୨ ଜଣ ପୁରୁଷ ବନ୍ଧୁଙ୍କ ସହିତ ଘରକୁ ଫେରୁଥିବା ସମୟରେ ଉକ୍ତ ଥାନା ଅଞ୍ଚଳର ପାଞ୍ଚ ଜଣ ଯୁବକ ମଧୁରିଆ ରାସ୍ତାରେ ଅଟକାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ l ତେବେ ନାବାଳିକାଙ୍କ ଦୁଇ ବନ୍ଧୁ ଏହାକୁ ପ୍ରତିବାଦ କରିବାରୁ ଉକ୍ତ ୫ଜଣ ଯୁବକ ସେମାନଙ୍କୁ ମାରପିଟ କରିବା ସହିତ ମୋବାଇଲ ଫୋନ ଛଡାଇ ନେଇଥିଲେ ଏବଂ ଏହାପରେ ଉକ୍ତ ଦୁଇଜଣ ନାବାଳିକାଙ୍କୁ ପାଞ୍ଚ ଜଣ ଯୁବକ ୩ଟି ବାଇକରେ ଜୋର ଜବରଦସ୍ତ ବସାଇ ସ୍ଥାନୀୟ ଟିକପଦା କେନାଲକୁ ନେଇ ବଳାତ୍କାର କରିଥିଲେ l ତେବେ ପରେ ଜୀବନରୁ ମାରିଦେବାର ଧମକ ଦେଇ ନଳଗଜା କଲେଜ ପଡିଆ ନିକଟରେ ଛାଡି ପଳାଇଥିଲେ l ଏନେଇ ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ୪୨୨/୨୫ରେ ମାମଲା ରୁଜୁ ହୋଇଛି l ଘଟଣାସ୍ଥଳରେ ବେତନଟି ଏସ୍ଡିପିଓ ମିନତୀ ବିଶ୍ୱାଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୨ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି l