ଭଞ୍ଜନଗର,୨୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏଡିଜେ ଶେଖ ମହମଦ କୁଏସ
ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଖଲାସ କରିଦେଇଛନ୍ତି। ସେମାନେ ହେଲେ କଟକ ଜିଲାର ଅଶୋକ ଜେନା ଓ ହୃଷିକେଶ ଦେହୁରୀ।
ଘଟଣାରୁ ପ୍ରକାଶ ଯେ, କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ସମୟରେ ବେନିୟମ ଭାବେ ବିପୁଳ ପରିମାଣର ଗଞ୍ଜେଇ ଭାୟା ଗଞ୍ଜାମ ଜିଲା ଦେଇ ଅନ୍ୟ ଅଞ୍ଚଳକୁ ଯାଉଛି। ପୋଲିସ ଓ ଅବକାରୀ ବିଭାଗ ଅନେକ ସମୟରେ ଅଭିଯୁକ୍ତମାନଙ୍କୁ ଗିରଫ ମଧ୍ୟ କରୁଛି। ତଥାପି ଗଞ୍ଜେଇ ଚାଲାଣ ଭଳି ବେନିୟମ କାର୍ଯ୍ୟ ଥମିବାର ନାମ ନେଉନାହିଁ। ଏହିଭଳି ଗତ ୨୦୨୩ ମସିହା ଡିସେମ୍ବର ୧୨ ତାରିଖରେ କନ୍ଧମାଳ ଜିଲ୍ଲା ଆଡୁ ଅଶୋକ ଜେନା ଓ ହୃଷିକେଶ ଦେହୁରୀ ଏକ ବୋଲର ଗାଡିରେ ପ୍ରାୟ ୨୩୦ କେଜି ଗଞ୍ଜେଇ ଧରି ଭଞ୍ଜନଗର ଉପଖଣ୍ଡ ବଡଗଡ ଥାନା ଅଞ୍ଚଳ ଅମୃତୁଲ ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ସେ ସମୟରେ ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏଥିସହ ୨୩୦ କେଜି ଗଞ୍ଜେଇ ସହ ବୋଲର ଗାଡ଼ିକୁ ମଧ୍ୟ ଜବତ୍ କରାଯାଇଥିଲା । ଘଟଣାପରଠୁ ଅଭିଯୁକ୍ତମାନେ ଭଞ୍ଜନଗର ଜେଲରେ ବନ୍ଦୀ ଜୀବନ ବିତାଉଥିଲେ। ଭଞ୍ଜନଗର ଅତିରିକ୍ତ ଜିଲା ଦୌରାଜର୍ଜ ଶେଖ ମହମଦ କୁଏସ ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ଅଭିଯୁକ୍ତ ଦ୍ୱୟଙ୍କୁ ଖଲାସ କରିଦେଇଛନ୍ତି। ମୁଦଲାଙ୍କ ପକ୍ଷରୁ ପୂର୍ବରୁ ଆଇନଜୀବୀ ଜ୍ଞାନେନ୍ଦ୍ର ନାୟକ ଓ ରଜତ କୁମାର ଦାସ ମକଦ୍ଦମା ପରିଚାଳନା କରୁଥିଲେ। କିଛିଦିନ ପୂର୍ବେ ସେମାନେ ସରକାରୀ ଓକିଲ ନିଯୁକ୍ତି ହୋଇଯିବା ଯୋଗୁ ମୁଦଲାମାନଙ୍କ ପାଇଁ ବର୍ତ୍ତମାନ ରଞ୍ଜିତ କୁମାର ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ।