ଭଞ୍ଜନଗର,୨୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବାହାଡ଼ାପଦର ଗ୍ରାମ୍ୟ ଜଙ୍ଗଲ ନିକଟରୁ ବନ କର୍ମଚାରୀ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ସମାପଲ୍ଲୀର ଶରତ ନାଇକ ଏବଂ ବାହାଡ଼ାପଦରର ବନମାଳୀ ଭୂୟାଁ।
ବନ ବିଭାଗ ଗିରଫ ଅଭିଯୁକ୍ତଠାରୁ ବିପୁଳ ପରିମାଣର ଜିଆଇ ଏବଂ ସର୍ଭିସ ତାର ଜବତ କରିଛି। ଗିରଫ ଦୁଇଜଣଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡର ବିଭିନ୍ନ ରେଞ୍ଜରେ କାଠ ଚୋରି ଏବଂ ବନ୍ୟପ୍ରାଣୀ ଶିକାର ଦିନକୁ ଦିନ ବଢିବାରେ ଲାଗିଛି। ଏନେଇ ପରିବେଶ ବିତ୍ତ୍ମାନେ ଚିନ୍ତାବ୍ୟକ୍ତ କରୁଛନ୍ତି।
ଏଭଳିସ୍ଥିତିରେ ସୋମବାର ସନ୍ଧ୍ୟାରେ ବାହାଡ଼ାପଦର ଗ୍ରାମର ବନମାଳୀ ଗାଁ ନିକଟ ଜମିରୁ ଜଙ୍ଗଲ ପର୍ଯ୍ୟନ୍ତ ଶିକାରମାନେ ହୁକିଙ୍ଗ ତାର ବିଛାଇଥିଲେ। ଏଥିରେ ଶରତ ଏବଂ ଅନ୍ୟମାନେ ସହଯୋଗ କରିଥିଲେ।
ଏନେଇ ରେଞ୍ଜର ବିମ୍ବାଧର ସାହୁ କୌଣସି ସୂତ୍ରରୁ ଖବର ପାଇ ବନପାଳ ବବୁଲ ସେଠୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦେଇଥିଲେ। ବନପାଳ ସେଠୀ ବନ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ଚଢାଉ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲେ।
ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ ଅନ୍ୟ କେତେଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ସେମାନଙ୍କୁ ଗିରଫ କରିବାକୁ ବିଭାଗୀୟ କର୍ମଚାରୀ ଚଢାଉ ଜାରି ରଖିଛନ୍ତି।