ବାଲିଗୁଡ଼ା,୧୯ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ସରକାରୀ ଜମିରେ ବେଆଇନ ଭାବେ କୋଠା ନିର୍ମାଣ ଦିନକୁ ଦିନ ବେଲଗାମ ହୋଇପଡ଼ିଛି। ଏ ନେଇ ରାଜସ୍ବ ବିଭାଗର ନିଦ ଭାଙ୍ଗିଛି। ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଦୁଇ ଘରକୁ ଜେସିବି ଲଗାଇ ଭାଙ୍ଗି ମାଟିରେ ମିଶାଇ ଦେଇଛି। ବାଲିଗୁଡ଼ା ତହସିଲଦାର ଦୀପ୍ତିରଞ୍ଜନ ବେହେରା ୧୧ ନମ୍ବର କାଉନସିଲ ଓ୍ବାର୍ଡ ଅଧୀନ ବାଇପାସ୍ ରାସ୍ତାରେ ଘର କରିଥିବା ଠିକାଦାର ଓ ଶିକ୍ଷକଙ୍କ ଦୁଇଟି ଆଜବେଷ୍ଟ ଘରକୁ ଜେସିବି ଲଗାଇ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ବେଳେ ସରକାରୀ ଜାଗାରେ ବେଆଇନ ଘର କରିଥିବା ସରକାରୀ ଚାକିରିଆ,ବଡ ବଡ଼ିଆ ୧୫ ଜଣ ଲୋକଙ୍କୁ ଶୀଘ୍ର ଘର ଖାଲି କରିବା ପାଇଁ ନୋଟିସ କରିଥିବା ଜଣାପଡ଼ିଛି। ବାଇପାସ୍ ରାସ୍ତାରେ ରାଜସ୍ବ ବିଭାଗ ପକ୍ଷରୁ ସରକାରୀ ଜାଗା ଫଳକ ମାରିବା ସତ୍ତ୍ୱେ ମଧ୍ୟ ଲୋକେ ତାହାକୁ ଖାତିର ନକରି ରାଜସ୍ବ ଫଳକୁ ଉପାଡି ଫିଙ୍ଗି ଦେଇଥିବା ନଜିର ରହିଛି। ଏହି ରାସ୍ତାରେ ବଡ଼ବଡ଼ିଆ ରାଜ ନେତା, ଠିକାଦାର,ସରକାରୀ ଚାକିରିଆ ଓ ବ୍ୟବସାୟୀମାନେ ନିଜର ଅମାପ ସମ୍ପତ୍ତି ରହିଥିବା ବେଳେ ଏଠାରେ ବେଆଇନ ଭାବେ ଜମି ଜବର ଦଖଲ କରି ବଡ଼ବଡ଼ ଛାତ ଘର କରିବା ସହ ଭଡାରେ ଲଗାଇଥିବା ଓ ତାର ବାଡ଼ ଘେରାଉ କରି ରଖିଛନ୍ତି। ସେ ସବୁର ରାଜସ୍ବ ବିଭାଗ ତଦନ୍ତ କରି ଜବର ଦଖଲ ଉଚ୍ଛେଦ କରିବ ନା ଏତିକିରେ ଏତିକି ହିଁ ରହିଯିବ ତାହାକୁ ନେଇ ଚର୍ଚ୍ଚା ହେଉଛି। ଏହି ଜବରଦଖଲ ଉଚ୍ଛେଦ ବେଳେ ଚାପା ଉତ୍ତେଜନା ଦେଖାଯାଇଥିବା ବେଳେ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ନାୟକ, ସୁପରଭାଇଜର ସନ୍ତୋଷ ପ୍ରଧାନ,ରାଜସ୍ବ ନିରୀକ୍ଷକ ଗାୟତ୍ରୀ ପ୍ରଧାନ, ସିଦ୍ଧାର୍ଥ ଗୌତମ ପଟ୍ଟନାୟକ ସମେତ ପୋଲିସ ଏସ୍ଆଇ ଯୁଗଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।