୫ ଦିନରେ ୨ ଚାଷୀଙ୍କ ଧାନ କ୍ରୟ

ଭବାନୀପାଟଣା,୪।୧୨(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାରେ ଗତ ନଭେମ୍ବର ୨୯ରୁ ଚଳିତ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ ହୋଇଥିଲା। ପ୍ରଥମ କରି ଗୋଲାମୁଣ୍ଡା ବ୍ଲକ ଘୋଟିଆ ମଣ୍ଡିରୁ ଏହାର ଶୁଭାରମ୍ଭ ହୋଇଥିବାବେଳେ ମିଲର୍ସ ନ ଆସିବାରୁ ଚାଷୀଙ୍କ ବସ୍ତାଏ ବି ଧାନ ଉଠିପାରି ନ ଥିଲା। ତେବେ ମଙ୍ଗଳବାର ଜିଲାର ଜୟପାଟଣା ବ୍ଲକ ବାନେର ପ୍ୟାକ୍ସ ଅନ୍ତର୍ଗତ ବିମଳା ମଣ୍ଡିରୁ ୨ ଜଣ ଚାଷୀଙ୍କ ୧୫୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ହେଲେ ବୁଧବାର ଜିଲାର କୌଣସି ମଣ୍ଡିରେ ଧାନ କ୍ରୟ କରାଯାଇନାହିଁ। ଫଳରେ ମଣ୍ଡି ଉଦ୍‌ଘାଟନ ଦିନରୁ ୫ ଦିନ ବିତିଯାଇଥିବାବେଳେ କେବଳ ୨ ଜଣ ଚାଷୀଙ୍କ ଧାନ କ୍ରୟ କରାଯାଇଛି। ଜିଲାକୁ ପ୍ରଥମ ପର୍ଯ୍ୟାୟରେ ୫୬ ଲକ୍ଷ ୫୮ ହଜାର କୁଇଣ୍ଟାଲ ଧାନ ଟାର୍ଗେଟ ଆସିଛି। ଧାନକିଣା ଆରମ୍ଭ ପରେ ପର୍ଯ୍ୟାୟକ୍ରମେ ଅଧିକ ଟାର୍ଗେଟ ଆସିବ ବୋଲି ସୂଚନା ମିଳିଛି। ଆହୁରି ୪-୫ ଦିନ ମଧ୍ୟରେ ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରଦାନ ପରେ ମିଲର୍ସ ଟ୍ୟାଗିଂ କରାଯାଇ ଧାନକିଣା ସ୍ବଭାବିକ ହେବ ବୋଲି ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Dharitri – The Largest & Most Trusted Odia Daily