୨ ଦଳିତଙ୍କୁ ଅଧା ଲଣ୍ଡା କରି ଆଣ୍ଠୁରେ ଚଲେଇବା ଘଟଣା:କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର, ୨୬।୬(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗାଁରେ ଗୋଚାଲାଣ ଅଭିଯୋଗରେ ୨୨ ତାରିଖରେ ୨ ଦଳିତ ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ ଅଧା ଲଣ୍ଡା କରି ଆଣ୍ଠୁରେ ଚଲେଇ ନିର୍ଯାତନା ଦିଆଯାଇଥିଲା। ଏହାକୁ ଷ୍ଟେଟ ହ୍ୟୁମାନ ରାଇଟ୍ସ କାଉନସିଲ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ଏଥିରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। କଙ୍ଗାରୁ କୋର୍ଟ କରିବା, ଜାତିଗତ ହିଂସା ଏବଂ ଦଳିତଙ୍କୁ ଏପରି ନିର୍ଯାତନା ଦେବା ଆଇନର ଘୋର ଉଲଂଘନ କରୁଛି।

ଏହି ଦାବିପତ୍ର ଦେବାବେଳେ ଷ୍ଟେଟ ହ୍ୟୁମାନ ରାଇଟ୍ସ କାଉନସିଲର ଅଧ୍ୟକ୍ଷା ସସ୍ମିତା ଦାସ, ଗଞ୍ଜାମ ଜ଼ିଲା ସଭାପତି ଲକ୍ଷ୍ମଣ ମହାରଣା, କାର୍ଯ୍ୟକାରୀ ସଭାପତି ମନୋଜ ପଣ୍ଡା,ଜ଼ିଲା ମହିଳା ସଭାନେତ୍ରୀ ସୁମିତ୍ରା ମହାରଣା, ଜ଼ିଲା ମହିଳା ଉପସଭାନେତ୍ରୀ ଜ୍ୟୋସା ରାଣୀ ଦାସ,ଜ଼ିଲା ସମ୍ପାଦକ ଏସ, ସନ୍ତୋଷ ରେଡ୍ଡୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଝିଅକୁ ଯୌତୁକ ଦେବା ପାଇଁ ସମ୍ପୃକ୍ତ ୨ଜଣ ଦଳିତ ବ୍ୟକ୍ତି ୨୨ ତାରିଖରେ ହରିପୁରରୁ ୩ଟି ଗାଈ ଧରି ସିଙ୍ଗିପୁର ଯାଉଥିଲେ। ଖାରିଗୁମ୍ମାରେ ତାଙ୍କୁ କେତେଜଣ ଲୋକ ଅଟକାଇ ଗୋଚାଲାଣ କରୁଥିବା ଅଭିଯୋଗ କରି ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ସେମାନେ ଉଭୟଙ୍କୁ ମାଡ଼ ମାରିଥିଲେ। ପରେ ସେଲୁନ କୁ ନେଇ ଅଧାଲଣ୍ଡା କରି ୨ ଦଳିତଙ୍କୁ ଖାରିଗୁମ୍ମାରୁ ଚଲାଇ ଜାହାଡା ପର୍ଯ୍ୟନ୍ତ ଆଣିଥିଲେ। କଙ୍ଗାରୁ କୋର୍ଟ ବସାଇ ଉଭୟଙ୍କୁ ଜାହାଡ଼ା ଗାଁଦାଣ୍ଡରେ ୨ କିଲୋମିଟର ଆଣ୍ଠୁରେ ଚଲାଇଥିଲେ। ସେମାନଙ୍କୁ ଘାସ ଖାଇବାକୁ ଦେବା ସହ ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରିଥିଲେ ।