୩ ଦିନରେ ୨କୋଟିର କାରବାର

ଭୁବନେଶ୍ୱର,୧୨।୧ (ଅଭୟ ଦାଶ): ପ୍ରଥମ ଥର ପାଇଁ ବୟନିକା ପକ୍ଷରୁ ଆରମ୍ଭ ହୋଇଥିତ୍ବା ରାତି ବଜାର ‘ବୟନିକା ନାଇଟ୍‌ ବଜାର’କୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରିକି ମାତ୍ର ୩ ଦିନ ମଧ୍ୟରେ ପ୍ରାୟ ୨ କୋଟି ଟଙ୍କାର କାରବାର ହୋଇଛି। ୨୦୨୫ ଜାନୁୟାରୀ ୮ ରାତି ୧୧ ଘଟିକାରୁ ଆରମ୍ଭ ହୋଇଥିବା ଏହି ବଜାର ୧୧ ତାରିଖ ସକଳା ୧୦ ଘଟିକା ସୁଦ୍ଧା ମୋଟ ୧.୭୫ କୋଟି ଟଙ୍କାର କାରବାର କରିଛି। ବିଶେଷକରି ସୂତା ଶାଢ଼ିର ଚାହିଦା ବେଶ୍‌ ଅଧିକ ରହିଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟର ପ୍ରମୁଖ ହସ୍ତତନ୍ତ୍ର ସଙ୍ଗଠନ ତଥା ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍‌ ବା ବୟନିକାର ବହୁ ପ୍ରତୀକ୍ଷିତ ‘ବୟନିକା ନାଇଟ୍‌ ବଜାର’ ବୁଧବାର ଭୁବନେଶ୍ୱରର ଖାରବେଳନଗରସ୍ଥିତ ବୟନିକା ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗର ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାରଙ୍କ ସମେତ ସ୍ବତନ୍ତ୍ର ଶାସନ ସଚିବ ମଧୁମିତା ରଥ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ ଏବଂ ପରିଚାଳନା ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ଅତିରିକ୍ତ ଶାସନ ସଚିବ ସୁଷମା ବାରିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ବର୍ତ୍ତମାନ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ବା ପିବିଡି-୨୦୨୫ର ଆୟୋଜନ କରାଯାଇଛି। ଏହି ସମୟରେ ଓଡ଼ିଶାର ହସ୍ତତନ୍ତ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବୟନିକା ପକ୍ଷରୁ ଏହି ସ୍ବତନ୍ତ୍ର ରାତି ବଜାରର ଶୁଭାରମ୍ଭ କରାଯାଇଛି। ସେହିଭଳି ଭୁବନେଶ୍ୱରରେ ବୟନିକାର ତିନୋଟି ଶାଖାରେ ସ୍ବତନ୍ତ୍ର ରିହାତି ବିକ୍ରୟ ସୁବିଧା ସୀମିତ ସମୟ ପାଇଁ ଉପଲବ୍ଧ ରହିଛି। ଏହି ବଜାର ୨୦୨୫ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ସେହିପରି ପିବିଡି ପାଇଁ ସ୍ବତନ୍ତ୍ର ରିହାତି ଦିଆଯାଉଛି। ଏପରିକି ଭୁବନେଶ୍ୱରର ସମସ୍ତ ଶାଖାରେ ୨୦% + ୧୦% + ୫% ରିହାତି ଅନ୍ତର୍ଭୁକ୍ତ ରହିଛି। ଏହି ଉତ୍ସାହକକୁ ଦ୍ୱିଗୁଣିତ କରିବା ପାଇଁ ଅତିରିକ୍ତ ୫% ରିହାତି ବୟନିକା ସ୍ବତନ୍ତ୍ର ନାଇଟ୍‌ ବଜାରରେ ଉପଲବ୍ଧ ରହିଛି। ଏହି ବଜାର ପ୍ରତିଦିନ ରାତି୧୧ଟା ରୁ ପରଦିନ ସକାଳ ୭ଟା ଯାଏ ସୀମିତ ଅବଧି ପର୍ଯ୍ୟନ୍ତ ଖୋଲା ଅଛି। ଏଥିରେ ପର୍ଯ୍ୟଟକ ଓ ଆଗନ୍ତୁକମାନଙ୍କୁ ରାତ୍ରି ସମୟରେ ମଧ୍ୟ ଓଡ଼ିଶା ହସ୍ତତନ୍ତ ସୃଷ୍ଟିର ଅନ୍ବେଷଣ କରିବାକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ। ଅପରପକ୍ଷରେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ଅନୁଭବ କରିବାକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀ ଭାରତୀୟ ତଥା ପ୍ରତିନିଧି ଓ ପରିଦର୍ଶକମାନଙ୍କୁ ବୟନିକା ଏହି ବଜାର ଜରିଆରେ ସ୍ବାଗତ କରୁଛି।