ନୂଆଦିଲ୍ଲୀ,୮।୮: କ୍ରିକେଟ ଜଗତରେ ହଇଚଇ ସୃଷ୍ଟି ହୋଇଛି। ଭାରତ ଏବଂ ପାକିସ୍ତାନର ଦୁଇ ଜଣ ଯୁବ କ୍ରିକେଟରଙ୍କ ଉପରେ ବଳାତ୍କାରର ଅଭିଯୋଗ ଆସିଛି। ଏହି କ୍ରିକେଟରଙ୍କ ମଧ୍ୟରୁ ଜଣଙ୍କୁ ଜେଲ ଯିବାକୁ ପଡିଛି। କିନ୍ତୁ ପରେ ଖେଳାଳିଙ୍କୁ ଜାମିନ ମିଳିଛି। ସେହିପରି ଅନ୍ୟ କ୍ରିକେଟରଙ୍କୁ ମଧ୍ୟ ଜେଲ ଯିବାକୁ ପଡିପାରେ। ଯେଉଁଥିରେ ଭାରତୀୟ କ୍ରିକେଟରଙ୍କ ନାମ ଯଶ ଦୟାଲ ଏବଂ ପାକିସ୍ତାନୀ କ୍ରିକେଟରଙ୍କ ନାମ ହାଇଦର ଅଲି।
ଜଣେ ମହିଳା ପାକିସ୍ତାନର ଯୁବ ଷ୍ଟାର ବ୍ୟାଟସମ୍ୟାନ ହାଇଦର ଅଲିଙ୍କ ଉପରେ ବଳାତ୍କାର ଏବଂ ଆକ୍ରମଣର ଅଭିଯୋଗ ଆଣିଛନ୍ତି। ୨୪ ବର୍ଷୀୟ ହାଇଦର ଅଲି ପାକିସ୍ତାନ-ଏ ଦଳ ସହିତ ଇଂଲଣ୍ଡ ଗସ୍ତରେ ଯାଇଛନ୍ତି। ଇଂଲଣ୍ଡରେ ତାଙ୍କୁ ଗ୍ରେଟର ମାଞ୍ଚେଷ୍ଟର ପୋଲିସ ଗିରଫ କରିଛି। କିନ୍ତୁ ପରେ ତାଙ୍କୁ ଜାମିନ ମିଳିଛି। ମହିଳାଙ୍କ ବୟସ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଯଦି ମହିଳାଙ୍କ ବୟସ ୧୬ ବର୍ଷ କିମ୍ବା ତା’ଠାରୁ କମ ହୁଏ, ତେବେ ହାଇଦର ଅଲି ଗଭୀର ସମସ୍ୟାରେ ପଡ଼ିପାରନ୍ତି। ରିପୋର୍ଟ ଅନୁଯାୟୀ, ଇଂଲଣ୍ଡରେ ବଳାତ୍କାର ପାଇଁ ଦୋଷୀ ବ୍ୟକ୍ତିଙ୍କୁ ୪ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଦିଆଯାଇପାରେ। ବର୍ତ୍ତମାନ, ପିସିବି ହାଇଦର ଅଲିଙ୍କୁ ନିଲମ୍ବିତ କରିଛି।
ଆଇପିଏଲରେ ଆରସିବି ପାଇଁ ଖେଳୁଥିବା ଉତ୍ତର ପ୍ରଦେଶର ଦ୍ରୁତ ବୋଲର ଯଶ ଦୟାଲଙ୍କ ବିରୁଦ୍ଧରେ ମଧ୍ୟ ବଳାତ୍କାର ଅଭିଯୋଗ ଆସିଛି। ୟଶ ଦୟାଲ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇନାହାଁନ୍ତି, କିନ୍ତୁ ସେ ତିନି ବର୍ଷ ଧରି ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ନିକଟରେ ୟଶ ଦୟାଲଙ୍କୁ ରାଜସ୍ଥାନ ହାଇକୋର୍ଟରୁ ଝଟକା ଲାଗିଛି। ରାଜସ୍ଥାନ ହାଇକୋର୍ଟ ଯଶ ଦୟାଲଙ୍କ ଗିରଫଦାରୀକୁ ରୋକିବାକୁ ମନା କରିଦେଇଛି। ଏପରି ପରିସ୍ଥିତିରେ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିପାରେ। ବର୍ତ୍ତମାନ, ୟଶ ଦୟାଲଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୨ ରେ ରାଜସ୍ଥାନ ହାଇକୋର୍ଟରେ ହେବ। ପୂର୍ବରୁ ୟୁପିର ଗାଜିଆବାଦରେ ମଧ୍ୟ ଯଶ ଦୟାଲଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ ହୋଇଥିଲା। କିନ୍ତୁ, ସେତେବେଳେ ତାଙ୍କୁ ଗିରଫ କରାଯାଇ ନଥିଲା।