Man in prison hands of behind hold Steel cage jail bars. offender criminal locked in jail.
ଆନନ୍ଦପୁର,୧୪।୪ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍ଙ୍କ କୋର୍ଟରେ ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଜ୍ୟୋତି ରାଉତ ମାମଲାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨୫ ହଜାର ଟଙ୍କା ଜରିମାନା ଓ ଅନାଦାୟେ ଅତିରିକ୍ତ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ରାୟରେ ଶୁଣାଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଆନନ୍ଦପୁର ଥାନା ଆଦିବାସୀ ପଣସଡ଼ିହା ପଞ୍ଚାୟତ ସିକାବେଡ଼ା ଗ୍ରାମର ସ୍ବର୍ଗତ ବୁଦ୍ଧିରାମ ପୂର୍ତ୍ତିଙ୍କ ପୁଅ ଦିବାକର ପୂର୍ତ୍ତି (୩୭) ୨୦୨୦ ଏପ୍ରିଲ ୧୦ ତାରିଖରେ ନିଜ ସମ୍ପର୍କୀୟଙ୍କ ଦୋକାନକୁ ବାକିରେ ଡାଲି ମାଗିବାକୁ ଯାଇଥିଲେ। ଦୋକାନୀ ଡାଲି ଦେବାକୁ ମନାକରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏପରିକି ଉଭୟଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ମଧ୍ୟ ହୋଇଥିଲା। ଏହା ଦେଖି ଦୋକାନୀଙ୍କ ଦୁଇ ପୁଅ ଜୀବନ ପୂର୍ତ୍ତି ଓ ସୁରେନ୍ଦ୍ର ପୂର୍ତ୍ତି ଠେଙ୍ଗାରେ ଦିବାକରଙ୍କୁ ଆକ୍ରମଣ କରିଥିଲେ। ଫଳରେ ଦିବାକରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦିବାକରଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆନନ୍ଦପୁର ଥାନାରେ (ନଂ. ୬୦/୨୦୨୦) ତଥା ଏସଟି କେସ୍ (ନଂ ୨୪/୨୦୨୦)ରେ ମାମଲା ରୁଜୁ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ୧୨ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସର ତଦନ୍ତ ରିପୋର୍ଟ ଆଧାରରେ ଜଜ୍ ଉକ୍ତ ରାୟ ଦେଇଥିବା ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ଅଶ୍ୱିନୀ କୁମାର ମଲ୍ଲିକ କହିଛନ୍ତି।