ବାଣ ବିସ୍ଫୋରଣରେ ୨ ଶିଶୁ ଗୁରୁତର: ଅଫୁଟା ବାଣକୁ ଫୁଟାଇବାକୁ ଉଦ୍ୟମ କରୁଥିବାବେଳେ…

ଦେବଗଡ,୨।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଗୁଣ୍ଡିଆପାଲି ଗ୍ରାମରେ ରାସ୍ତାରେ ପଡିଥିବା ଏକ ଅଫୁଟା ବାଣ ବିସ୍ଫୋରଣରେ ୨ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ଶିଶୁ ଦ୍ୱୟ ଗୁଣ୍ଡିଆପାଲି ଗ୍ରାମର ବାରୁ ଭୋଇଙ୍କ ପୁଅ ପ୍ରୀତମ ଭୋଇ (୧୧) ଏବଂ ଅବନୀ ବାଘଙ୍କ ପୁଅ ଶୁଭମ ବାଘ (୧୧) ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ରବିବାର ପ୍ରୀତମ ଓ ଶୁଭମ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ସେଠାରେ ପଡିଥିବା ଏକ ଅଫୁଟା ବାଣକୁ ଉଠାଇ ଫୁଟାଇବାକୁ ଉଦ୍ୟମ କରିଥିଲେ। ତେବେ ଅସାବଧାନତାବଶତଃ ଉକ୍ତ ବାଣଟି ସେମାନଙ୍କର ହାତରେ ଫୁଟିଯାଇଥିଲା। ଏହାର ପ୍ରଭାବରେ ଶୁଭମଙ୍କର ହାତରେ ଓ ପ୍ରୀତମଙ୍କ ହାତ ଓ ଗୋଡରେ ଗଭୀର କ୍ଷତ ସୃଷ୍ଟି ହେବାସହ ଉଭୟେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଆଣିିଥିଲେ । ସେଠାରେ ଉଭୟଙ୍କର ଚିକିତ୍ସା ଜାରି ରହିଥିବାବେଳେ ଆବଶ୍ୟକସ୍ଥଳରେ ସେମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ଚିକିତ୍ସାକାରୀ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

 

Dharitri – Odisha’s No.1 Odia Daily

 

Share