ଭାଜପା ଏମ୍‌ପି ପ୍ରତିନିଧି-ବିଧାୟକ ପ୍ରତିନିଧି ହାତାହାତି: ଠିକା କାମକୁ ନେଇ ତିକ୍ତତା

ଝରିଗାଁ,୨୭।୨(କିଶୋର ଚନ୍ଦ୍ର ମଣ୍ଡଳ): ରାଜ୍ୟରେ ବିଜେଡି ସରକାରକୁ ଟକ୍କର ଦେଇ ଭାଜପା ସରକାର ଗଠନ କରିଥିବାର କେଇଟା ମାସ ଯାଇଥିବାବେଳେ ଗ୍ରାମାଞ୍ଚଳରେ ଭାଜପା କର୍ମୀମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ମାରପିଟ ହୋଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନବରଙ୍ଗପୁର ଭାଜପା ଏମ୍‌ପି ବଳଭଦ୍ର ମାଝୀଙ୍କ ପ୍ରତିନିଧି ଯିଏକି ଏମ୍‌ପିଙ୍କ ନିଜ ଭାଇ ଏବଂ ଝରିଗାଁ ଭାଜପା ବିଧାୟକ ନରସିଂହ ଭଦ୍ରାଙ୍କ ବ୍ଲକ ପ୍ରତିନିଧି ପ୍ରତାପ ବାଗଙ୍କ ମଧ୍ୟରେ ହାତାହାତି ଓ ମାରପିଟ ହୋଇଛି । ଉଭୟ ପକ୍ଷକୁ ପୋଲିସର ପଚରାଉଚରା କରୁଛି।

ଘଟଣା ଅନୁସାରେ, ଗୁରୁବାର ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସରିବା ପରେ ବିଧାୟକଙ୍କ ପ୍ରତିନିଧି ପ୍ରତାପ ବାଗ ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ଫେରିବା ସମୟରେ ଏମ୍‌ପିଙ୍କ ଭାଇ ତଥା ତାଙ୍କ ବ୍ଲକ ପ୍ରତିନିଧି ବସନ୍ତ ମାଝୀ ବ୍ଲକ କାର୍ଯ୍ୟାଳୟ ଫାଟକ ସାମ୍ନାରେ ପ୍ରତାପ ବାଗଙ୍କ ଗାଡ଼ିକୁ ଅଟକାଇ ତାଙ୍କୁ ଆକ୍ରମଣ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଉଭୟଙ୍କ ସମର୍ଥନଙ୍କ ମଧ୍ୟରେ ଗଣ୍ଡଗଳ ହୋଇଥିଲା।

ଏହି ସମୟର ଚନ୍ଦାହାଣ୍ଡି ଥାନା ଏସ୍‌ଆଇ ଖଗେଶ୍ବର ଖୋସଲା, ଏଏସଆଇ ଲାବନ୍ୟ ବେମାଲ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଘଟଣା ସମ୍ପର୍କରେ ପଚରାଉଚରା ପାଇଁ ଥାନାକୁ ଡକାଇଥିଲେ। ୨ରୁ ୩ ମାସ ପୂର୍ବରୁ ପ୍ରତାପ ବାଗଙ୍କୁ ବିଧାୟକ ନରସିଂହ ଭଦ୍ରା ନିଜ ପ୍ରତିନିଧିତ୍ ପ୍ରଦାନ କରିଥିଲେ। ବିଧାୟକଙ୍କ ପ୍ରତିନିଧି ଠିକା କାମକୁ ବିକ୍ରି କରିଥିବା ସହ ସେ କୌଣସି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେଉନଥିବା ନେଇ ଚନ୍ଦାହାଣ୍ଡି ବ୍ଲକ ଭାଜପା କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ତେବେ ଏ ଯାଏ ଥାନରେ କୌଣସି ଲିଖିତ ଅଭିଯୋଗ କରାଯାଇନଥିବା ଏସଆଇ ଶ୍ରୀ ଖୋସଲା ପ୍ରକାଶ କରିଛନ୍ତି l