ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କଇଠଖଣ୍ଡି ପଞ୍ଚାୟତ ତଲାସିଂ ଗ୍ରାମରେ ଘଟିଥିବା ପାରିବାରିକ ହିଂସା ମାମଲାରେ ପୋଲିସ କୃଷ୍ଣ ଗୌଡ଼(ଭିଣୋଇ) ଏବଂ ତାଙ୍କ ଶଳା ସମୀର ଗୌଡ଼ଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଥାନା ଏକ ମାମଲାରେ(ନଂ.୨୯୬/୨୫) ରୁଜୁ ହୋଇଛି।
ଅଭିଯୋଗ ମୁତବକ, ଗୁରୁବାର ରାତି ପ୍ରାୟ ୧୦ ଟାରେ ଗ୍ରାମର ରୁନା ଗୌଡ ଓ ତାଙ୍କ ସ୍ତ୍ରୀ ଆଶାଲତା ଗୌଡ ଏବଂ ସାନଭାଇ କୃଷ୍ଣ ଗୌଡ ମିଶି ଘରେ ପାରିବାରିକ ସମସ୍ୟା ନେଇ କଥା ହେଉଥିବା ବେଳେ କୌଣସି କଥାକୁ ନେଇ ଦୁଇଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ଦୁଇଭାଇଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା ।
ଏହାର କିଛି ସମୟ ପରେ ପୁଣି ସାନଭାଇ କୃଷ୍ଣ ଓ ତାଙ୍କ ଶଳା ସମୀର ଗୌଡ ଉଭୟ ମିଶି ରୁନାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସ୍ବାମୀଙ୍କୁ ଛଡ଼ାଇବାକୁ ଯାଇ ସ୍ତ୍ରୀ ଆଶାଲତାକୁ ମଧ୍ୟ ଦୁଇ ଅଭିଯୁକ୍ତ ଅସଦାଚରଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ସାହି ପଡୋଶୀଙ୍କ ସହାୟତାରେ ରୁନାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ଆଶାଲତା ଦିଗପହଣ୍ଡି ଥାନାରେ ଦିଅର କୃଷ୍ଣ ଓ ତାଙ୍କ ଶଳା ସମୀରଙ୍କ ବିରୋଧରେ ଏତଲା ଦେଇଥିଲେ।