Wind is blowing pollution from a coal burning power plant.
ମୁମ୍ବାଇ, ୨।୧: ପ୍ରଦୂଷଣ କବଳରେ ପୂରା ବିଶ୍ୱ। ଦିନକୁ ଦିନ ଏହାର ମାତ୍ରାଧିକ ବୃଦ୍ଧି ଜୀବନ ଧାରଣର ମାନ କମାଇଛି। ବିଭିନ୍ନ ଦେଶ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ହେଉ ନ ଥିବାରୁ ଏହାର ସାମ୍ନା କରିବା ଏବେ ବଡ଼ ଆହ୍ବାନ। କେବଳ ଭାରତରେ ବାୟୁ ପ୍ରଦୂଷଣ ଜନିତ ରୋଗ ଓ ମୃତ୍ୟୁ ଯୋଗୁ ୨୦୧୯ରେ ୨,୬୦,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ହୋଇଛି। ଏକ ଅନୁସନ୍ଧାନ ମୁତାବକ, ସେହିବର୍ଷ ଏହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧.୪ ପ୍ରତିଶତ ହ୍ରାସ ପାଇବାର କାରଣ ହୋଇଥିଲା। ଭାରତରେ ବାୟୁ ପ୍ରଦୂଷଣର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ୨୦୧୯ରେ ଦେଶରେ ଏଥିଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଓ ମୃତକଙ୍କ ତଥ୍ୟକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏୟାର ପଲ୍ୟୁସନ ଦେଶର ଅର୍ଥନୀତିକୁ କିପରି ପ୍ରଭାବିତ କରିଛି ତାକୁ ନେଇ ଏମ୍ସ, ଆଇସିଏମ୍ଆର ଏବଂ ଦିଲ୍ଲୀ ଆଇଆଇଟିର ଅନୁସନ୍ଧାନକାରୀମାନେ ସାମିଲ କରିଥିଲେ। ଲାନ୍ସେଟ୍ ପ୍ଲାନେଟୋରି ହେଲ୍ଥ ଜର୍ନାଲରେ ଗ୍ଲୋବାଲ ବର୍ଡନ ଅଫ୍ ଡିଜିଜ ଷ୍ଟଡି ରିପୋର୍ଟ ପ୍ରକାଶିତ ହୋଇଛି।
ମୁତାବକ, ଭାରତରେ ବାୟୁ ପ୍ରଦୂଷଣ ଯୋଗୁ ପ୍ରାୟ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ଦେଶରେ ସମୁଦାୟ ମୃତ୍ୟୁର ୧୮ ପ୍ରତିଶତ। ସେମାନଙ୍କ ମଧ୍ୟରୁ ୯.୮ ଲକ୍ଷ ଲୋକଙ୍କ ପର୍ଟିକୁଲେଟ ମ୍ୟାଟର ବା କଣିକା ପଦାର୍ଥ ଯୋଗୁ ଘଟିଛି। ଘରୋଇ ବାୟୁ ପ୍ରଦୂଷଣ ଯୋଗୁ ୬.୧ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ଆର୍ଥିକ କ୍ଷତି ରୂପେ ହିସାବକୁ ନିଆଗଲେ ତାହା ୨.୬ ଲକ୍ଷ ଟଙ୍କାର ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ, ଖଣିଜ ଧୂଳି ଧୂଅଁା, କୋଇଲା ବ୍ୟବହାର, ଶିଳ୍ପାନୁଷ୍ଠାନ ନିର୍ଗତ ବର୍ଜ୍ୟ, ନିର୍ମାଣ କାର୍ଯ୍ୟ, ମାତ୍ରାଧିକ ଯାନବାହନ ବ୍ୟବହାର, ଇଟା ଚୁଲା ଆଦି ଭାରତରେ ବାୟୁ ପ୍ରଦୂଷଣର ମୁଖ୍ୟ ଉତ୍ସ ପାଲଟିଛି। ଅନ୍ୟପକ୍ଷରେ ବାୟୁ ପ୍ରଦୂଷଣ ସମ୍ବନ୍ଧୀୟ ରୋଗ ପାଇଁ ନିମ୍ନମାନର ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ଦାୟୀ କରାଯାଇଛି।