Categories: Home Leftଖେଳ

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ବାବଦକୁ ଦିଆଗଲା ୨.୫ କେଜିର ମାଛ

ନୂଆଦିଲ୍ଲୀ, ୨୧।୯: କୌଣସି ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ସମୟରେ ଖେଳାଳିଙ୍କୁ ଟ୍ରଫି କିମ୍ବା ଅର୍ଥ ରାଶି ପ୍ରଦାନ କରାଯାଇଥାଏ। କିନ୍ତୁ ନିକଟରେ କଶ୍ମୀରର ଟେକିପୋରା କୁପ୍‌ଓ୍ବାରାଠାରେ ଏକ କ୍ରିକେଟ୍‌ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା। ଏହି ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ବାବଦକୁ ଏଭଳି ଏକ ଜିନିଷ ପ୍ରଦାନ କରାଯାଇଥିଲା ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ଖେଳାଳି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ତାଙ୍କୁ ପୁରସ୍କାର ବାବଦକୁ ୨.୫ କେଜିର ଏକ ମାଛ ପ୍ରଦାନ କରାଯାଇଥିଲା। ପୁରସ୍କୃତ ବେଳର ଏହି ଫଟୋଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ନେଇ କ୍ରିକେଟ୍‌ପ୍ରେମୀ ଅନେକ ମଜାଦାର ମନ୍ତବ୍ୟ ଦେଇଛନ୍ତି। ଏହି ଟୁର୍ନାମେଣ୍ଟକୁ ଚର୍ଚ୍ଚିତ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ଏଭଳି କରାଯାଇଥିବା ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୭ରେ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଯୁବ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ବାବଦକୁ ଏକ ମିନି ଟ୍ରକ୍‌ ପ୍ରଦାନ କରାଯାଇଥିଲା। ସେହିଭଳି ୨୦୧୩ ଢାକା ପ୍ରିମିୟର ଲିଗ୍‌ରେ ଇଂଲଣ୍ଡର ଇଅନ ମୋର୍ଗାନଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଆକାରରେ ଗୋଟିଏ ପ୍ରେସର କୁକର୍‌ ପାଇଥିଲେ।