Categories: Home Middleଖେଳ

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷରେ ୭ ଉଇକେଟ୍ ହରାଇ ୨୩୮ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଛି।

ଭାରତୀୟ ଓପନର ଅଭିଷେକ ଶର୍ମା ମାତ୍ର ୩୫ ବଲ୍‌ରୁ ୮୪ ରନ୍‌ (୫ଟି ଚୌକା ଓ ୮ଟି ଛକା) ସଂଗ୍ରହ କରିଥିଲେ। ସେ ମାତ୍ର ୨୨ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଏକ ଅନନ୍ୟ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟାଟର ଯିଏ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ୮ ଥର ପାଇଁ ୨୫ ବଲ୍‌ କିମ୍ବା ତା’ଠାରୁ କମ୍ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। ସଞ୍ଜୁ ସାମସନ (୧୦) ଏବଂ ଇଶାନ କିଷାନ (୮) ଶୀଘ୍ର ଆଉଟ୍ ହୋଇଯାଇଥିଲେ। ତେବେ ଅଭିଷେକ ଶର୍ମା ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୩୨) ତୃତୀୟ ଉଇକେଟ୍ ପାଇଁ ମାତ୍ର ୪୭ ବଲ୍‌ରେ ୯୯ ରନ୍‌ର ଭାଗିଦାରୀ କରିଥିଲେ। ଶେଷ ଭାଗରେ ରିଙ୍କୁ ସିଂ ମାତ୍ର ୨୦ ବଲ୍‌ରୁ ଅପରାଜିତ ୪୪ ରନ୍‌ କରି ଭାରତୀୟ ସ୍କୋରକୁ ୨୩୦ ପାର୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତର ଏହି ଆକ୍ରମଣାତ୍ମକ ବ୍ୟାଟିଂ ନ୍ୟୁଜିଲାଣ୍ଡ ଆଗରେ ବିଶାଳ ଟାର୍ଗେଟ ଛିଡା କରିଛି।