୨୦୦ ବର୍ଷର ଇତିହାସ ଭାଙ୍ଗିଲେ ୧୯ ବର୍ଷରେ ମହେଶ, ଆଶ୍ଚର୍ଯ୍ୟ ହେଲେ ପ୍ରଧାନମନ୍ତ୍ରୀ

ବାରାଣସୀ,୨।୧୨: ୧୯ ବର୍ଷ ବୟସ୍କ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଶୁକ୍ଳ ଯଜୁର୍ବେଦର (ମାଧ୍ୟନ୍ଦିନ ଶାଖା) ପ୍ରାୟ ୨,୦୦୦ ମନ୍ତ୍ରର ଅତ୍ୟନ୍ତ ଜଟିଳ ଆବୃତ୍ତି ‘ଦଣ୍ଡକ୍ରମ ପାରାୟଣମ୍’ ସମାପ୍ତ କରି ଏକ ଐତିହାସିକ ଆଧ୍ୟାତ୍ମିକ ଉପଲବ୍ଧି ହାସଲ କରିଛନ୍ତି। ବାରାଣସୀରେ ଏହି ଉପଲବ୍ଧି ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୈଦିକ ପରମ୍ପରାରେ ସବୁଠାରୁ ଜଟିଳ ମନେ କରାଯାଉଥିବା ଏହି କାର୍ଯ୍ୟକୁ ସେ ୫୦ ଦିନର ନିରବଚ୍ଛିନ୍ନ ଆବୃତ୍ତିରେ ସମାପ୍ତ କରିଛନ୍ତି। ପ୍ରାୟ ୨୦୦ ବର୍ଷ ପରେ ଏହା ହେଉଛି ପ୍ରଥମ ଶାସ୍ତ୍ରୀୟ ଶୁଦ୍ଧ ପ୍ରଦର୍ଶନ।

ଦେବବ୍ରତଙ୍କୁ ଏହି ସିଦ୍ଧି ପାଇଁ ୫ ଲକ୍ଷ ଟଙ୍କାର ଏକ ସୁନା ବ୍ରେସଲେଟ ଏବଂ ୧,୧୧,୧୧୬ ଟଙ୍କା ପ୍ରଦାନ କରାଯାଇଛି। ତାଙ୍କୁ ଶୃଙ୍ଗେରୀ ଶାରଦା ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ମିଳିଛି।

ଏହି ଅବସରରେ ରଥଯାତ୍ରା କ୍ରସିଂରୁ ମହମୁରଗଞ୍ଜ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା। ୫୦୦ରୁ ଅଧିକ ବୈଦିକ ଛାତ୍ର, ପାରମ୍ପରିକ ସଙ୍ଗୀତଜ୍ଞ ଏବଂ ଶଙ୍ଖଧ୍ୱନୀରେ ବାରାଣସୀ ଏକ ବୈଦିକ ଉତ୍ସବରେ ପରିଣତ ହୋଇଥିଲା।

୧୯ ବର୍ଷୀୟ ଦେବବ୍ରତ ମହେଶ ରେଖେଙ୍କ ଏହି ଉଲ୍ଲେଖନୀୟ ସିଦ୍ଧି ବିଷୟରେ ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଆନନ୍ଦ ଓ ଗର୍ବ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେବବ୍ରତଙ୍କ ଏହି ସିଦ୍ଧି ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରିବ। ଭାରତୀୟ ସଂସ୍କୃତିର ପ୍ରତ୍ୟେକ ଅନୁଗାମୀ ଏହି କଥା ଜାଣି ଖୁସି ହେବେ ଯେ ଯୁବ ବିଦ୍ୱାନ ଜଣକ ଶୁକ୍ଳ ଯଜୁର୍ବେଦର ୨,୦୦୦ ମନ୍ତ୍ରକୁ ୫୦ ଦିନ ଧରି ନିର୍ଭୁଲ ଭାବରେ ଆବୃତ୍ତି କରି ‘ଦଣ୍ଡକ୍ରମ ପାରାୟଣମ୍’ ସମ୍ପୂର୍ଣ୍ଣ କରିଛନ୍ତି। ବାରାଣସୀର ଏମପି ଥିବା ମୋଦି ଗର୍ବର ସହ କହିଛନ୍ତି ଯେ ଏହି ଅସାଧାରଣ ଆଧ୍ୟାତ୍ମିକ ଅନୁଷ୍ଠାନ କାଶୀର ପବିତ୍ର ଭୂମିରେ ସମ୍ପନ୍ନ ହୋଇଛି।

ବିଦ୍ୱାନମାନେ କହିଛନ୍ତି ଯେ ଡଣ୍ଡକ୍ରମ, ଯାହାର ଜଟିଳ ସ୍ୱର-ଢାଞ୍ଚା ଏବଂ ଧ୍ୱନିଗତ ସଠିକତା ପାଇଁ ଏହାକୁ ବୈଦିକ ଆବୃତ୍ତିର ମୁକୁଟ ବୋଲି କୁହାଯାଏ, ଇତିହାସରେ କେବଳ ତିନିଥର ପ୍ରଦର୍ଶନ କରାଯାଇଛି। ଦେବବ୍ରତଙ୍କ ଆବୃତ୍ତି ନିର୍ଭୁଲ ଥିଲା ଏବଂ ସେ ଏହାକୁ ସର୍ବନିମ୍ନ ସମୟରେ ଶେଷ କରିଛନ୍ତି।

Share