ବିରୋଧୀଙ୍କ ନିଷ୍ପତ୍ତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୪ା୫: ଆସନ୍ତା ୨୮ ତାରିଖରେ ପାର୍ଲାମେଣ୍ଟର ନୂଆ ବିଲ୍ଡିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସଂସଦର ନୂଆ କୋଠାକୁ ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଦ୍‌ଘାଟନ କରିବା ଉଚିତ ବୋଲି କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ୧୯ଟି ଦଳ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କଂଗ୍ରେସ, ବାମପନ୍ଥୀ (ସିପିଆଇ, ସିପିଆଇଏମ୍‌), ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏହାକୁ ବର୍ଜନ କରିବେ ବୋଲି ବୁଧବାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନକୁ ବର୍ଜନ କରିବା ନେଇ ମିଳିତ ବିବୃତି ଜାରି କରିଥିବା ଦଳଗୁଡ଼ିକ ହେଲେ, କଂଗ୍ରେସ, ଡିଏମ୍‌କେ, ଏଏପି, ଶିବସେନା(ୟୁବିଟି), ସମାଜବାଦୀ ପାର୍ଟି, ସିପିଆଇ, ସିପିଆଇଏମ୍‌, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କେରଳ କଂଗ୍ରେସ-ମଣି, ବିଦ୍ୟୁତ୍‌ହାଲାଇ ଚିରୁଥେଗାଲ କଟ୍‌ଚି, ରାଷ୍ଟ୍ରୀୟ ଲୋକ ଦଳ, ଟିଏମ୍‌ସି, ସଂଯୁକ୍ତ ଜନତା ଦଳ, ଏନ୍‌ସିପି, ଆର୍‌ଜେଡି, ଆଇୟୁଏମ୍‌ଏଲ୍‌, ନ୍ୟାଶନାଲ କନ୍‌ଫରେନ୍ସ, ରିଭୋଲ୍ୟୁଶନାରି ସୋସିଆଲିଷ୍ଟ ପାର୍ଟି ଏବଂ ମାରୁମାଲାର୍ଚି ଦ୍ରାବିଡ ମୁନେତ୍ରା କାଜାଗାମ୍‌।

ବିରୋଧୀଙ୍କ ନିଷ୍ପତ୍ତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେମାନେ ନିଜ ଜ୍ଞାନ ଅନୁସାରେ ମନ୍ତବ୍ୟ ଦେଉଛନ୍ତି। କିନ୍ତୁ ତାମିଲନାଡୁରୁ ଅଣାଯାଇଥିବା ଐତିହାସିକ ‘ସେନ୍‌ଗୋଲ’(ସାର୍ବଭୌମତ୍ୱର ପ୍ରତୀକ ରାଜଦଣ୍ଡ)କୁ ନେଇ ସେମାନେ ରାଜନୀତି କରିବା ଦୁର୍ଭାଗ୍ୟଜନକ। ବ୍ରିଟିଶ ସରକାର କ୍ଷମତା ହସ୍ତାନ୍ତର ବେଳେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଏହି ‘ସେନ୍‌ଗୋଲ’ ପ୍ରଦାନ କରିଥିଲେ। ସଂସଦର ନୂଆ କମ୍ପ୍ଲେକ୍ସରେ ଏହାକୁ ସ୍ଥାପନ କରାଯିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ବିରୋଧୀଙ୍କ ବର୍ଜନ ଆହ୍ବାନକୁ ଦୁର୍ଭାଗ୍ୟଜନକ କହି ନିଜ ଆଭିମୁଖ୍ୟର ପୁନର୍ବିଚାର କରିବାକୁ ପରାମର୍ଶ ଦେଇଛନ୍ତି।