୧୯ ଜିଲାକୁ ମିଳିବ ଅତିରିକ୍ତ ପୋଷଣଯୁକ୍ତ ଚାଉଳ

ଭୁବନେଶ୍ୱର,୨୩ା୧୦(ରବିନାରାୟଣ ଜେନା): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍‌ଏଫ୍‌ଏସ୍‌ଏସ୍‌)ରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ୩ ମାସର ପୋଷଣଯୁକ୍ତ ଚାଉଳ(ଫର୍ଟିଫାଏଡ୍‌ ରାଇସ୍‌) ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବରରୁ ନଭେମ୍ବର ତିନିମାସ ପାଇଁ ଅତିରିକ୍ତ ଭାବେ ଏହି ଉଭୟ ଯୋଜନାର ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯିବ। ୧୯ ଜିଲାର ୭୦ ଲକ୍ଷ ୪୭ ହଜାର ୪୧୮ ପରିବାରର ୨ କୋଟି ୩୯ ଲକ୍ଷ ୪୬ ହଜାର ୫୩ ହିତାଧିକାରୀଙ୍କୁ ୧୦ ଲକ୍ଷ ୫୭ ହଜାର ୧୧୨.୭୦ କୁଇଣ୍ଟାଲ ଚାଉଳ ବଣ୍ଟନ କରାଯିବାକୁ ରହିଛି। ଏ ନେଇ ଚଳିତ ଅକ୍ଟୋବର ୧୮ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଶ୍ରୀଧର ନାୟକ ସଂପୃକ୍ତ ୧୯ ଜିଲାର ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।

ସ୍ବତନ୍ତ୍ର ସଚିବ ତାଙ୍କ ପତ୍ରରେ ଜିଲାପାଳମାନଙ୍କୁ ଦର୍ଶାଇଛନ୍ତି ଯେ, ଏନ୍‌ଏଫ୍‌ଏସ୍‌ଏ ଏବଂ ଏସ୍‌ଏଫ୍‌ଏସ୍‌ଏସ୍‌ ଅଧୀନରେ ରାଜ୍ୟ ନିଜ ତରଫ(ଷ୍ଟେଟ୍‌ପୁଲ୍‌)ରୁ ୧୦ ଲକ୍ଷ ୫୭ ହଜାର ୧୧୨.୭୦ କୁଇଣ୍ଟାଲ ପୋଷଣଯୁକ୍ତ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବଣ୍ଟନ ହେବାକୁଥିବା ଜିଲାଗୁଡ଼ିକ ମଧ୍ୟରେ ଅନୁଗୋଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଜଗତ୍‌ସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ପ୍ରଭୃତି ରହିଛି। ଏହି ଚାଉଳ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ବଣ୍ଟନ କରାଯିବ।
ସରକାରଙ୍କ ସଂଶୋଧିତ ନିର୍ଦ୍ଦେଶନାମାକୁ ନେଇ ସ୍ବତନ୍ତ୍ର ସଚିବ ଦର୍ଶାଇଛନ୍ତି, ପୋଷଣଯୁକ୍ତ ଚାଉଳ ବଣ୍ଟନର ମାପ ଅନୁସାରେ ପ୍ରତି ପରିବାର ପାଇଁ ମାସକୁ ୫ କିଲୋଗ୍ରାମ୍‌ ହାରରେ ତିନିମାସ ଲାଗି ପ୍ରଦାନ କରାଯିବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଏହା ମାଗଣାରେ ଯୋଗାଇ ଦିଆଯିବ। ଏନ୍‌ଏଫ୍‌ଏସ୍‌ଏ ଓ ଏସ୍‌ଏଫ୍‌ଏସ୍‌ଏସ୍‌ ଅଧୀନ ଯୋଗ୍ୟ ହିତାଧିକାରୀଙ୍କ ପରିବାରକୁ ହିଁ ଏହି ଚାଉଳ ମିଳିବ। ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ରାଶନ କାର୍ଡ ଅନୁସାରେ ଚାଉଳ ବଣ୍ଟନ ହେବ। ଆବଣ୍ଟିତ ପିଡିଏସ୍‌ ଷ୍ଟକ୍‌ କେବଳ ଲାଇସେନ୍ସପ୍ରାପ୍ତ ଦୋକାନୀମାନେ ହିଁ ବଣ୍ଟନ କରିପାରିବେ।

ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ପ୍ରାୟୋରିଟି ହାଉସ୍‌ହୋଲ୍ଡ(ପିପିଏଚ୍‌) ପାଇଁ ୯ ଲକ୍ଷ ୧୭ ହଜାର ୩୧୫.୨୫ କୁଇଣ୍ଟାଲ ଚାଉଳ ବଣ୍ଟନ ହେବାକୁ ରହିଥିବାବେଳେ ଅନ୍ତ୍ୟୋଦୟ ଅନ୍ନ ଯୋଜନା(ଏଏଜେ)ରେ ୧ ଲକ୍ଷ ୨୪ ହଜାର ୩୦୩.୯୫ କୁଇଣ୍ଟାଲ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅବଶିଷ୍ଟ ୧୫ ହଜାର ୪୯୩.୫୦ କୁଇଣ୍ଟାଲ ପୋଷଣଯୁକ୍ତ ଚାଉଳ ସଂପୃକ୍ତ ଜିଲାର ହିତାଧିକାରୀଙ୍କୁ ବଣ୍ଟନ କରାଯିବ। ଏଥିମଧ୍ୟରେ ୬୧ ଲକ୍ଷ ୧୫ ହଜାର ୪୩୫ ପରିବାର ଏନ୍‌ଏଫ୍‌ଏସ୍‌ଏ ଯୋଜନାରେ ରହିଥିବାବେଳେ ୨ କୋଟି ୧୨ ଲକ୍ଷ ୯୨ ହଜାର ୪୭୭ ଜଣ ଉପକୃତ ହେବେ। ସେହିପରି ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୮ ଲକ୍ଷ ୨୮ ହଜାର ୬୯୩ ପରିବାରର ୨୪ ଲକ୍ଷ ୪୩ ହଜାର ୧୬୩ ଜଣ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଲକ୍ଷ ୩ ହଜାର ୨୯୦ ପରିବାରର ୨ ଲକ୍ଷ ୧୦ ହଜାର ୪୧୩ ଜଣ ଉପକୃତ ହେବେ ବୋଲି ଜଣାଯାଇଛି।

ସ୍ବତନ୍ତ୍ର ସଚିବ ସମସ୍ତ ଏସିଏସ୍‌ଓ, ଆଇଏସ୍‌ଏସ୍‌ ଏବଂ ଏମ୍‌ଆଇଏସ୍‌ମାନଙ୍କୁ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ବଣ୍ଟନ ସମ୍ବନ୍ଧିତ ତଥ୍ୟ ସମୟ ଭିତରେ ଇ-ପିଓଏସ୍‌କୁ ସର୍ଭର ସହ ଲିଙ୍କ୍‌ କରିବା ଆବଶ୍ୟକ। ଯାହାଦ୍ୱାରା ଏଫ୍‌ପିଏସ୍‌ରେ ଥିବା ଚାଉଳର ପ୍ରକୃତ ଷ୍ଟକ୍‌ ସମ୍ପର୍କରେ ଜଣାଯାଇପାରିବ। ଏହାସହିତ ଚାଉଳର ସୁବଣ୍ଟନ ଦିଗରେ ନିର୍ଦ୍ଦେଶନାମାକୁ ଠିକ୍‌ଭାବେ ପାଳନ କରିବାକୁ ସେ ଦର୍ଶାଇଛନ୍ତି।

Share