୧୮ ବେଆଇନ ବାଲି ବୋଝେଇ ଗାଡି ଜବତ: ଡ୍ରାଇଭର ଫେରାର

ହାଟଡିହୀ,୧୧l୧୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ବାଲି ପରିବହନ କରୁଥିବା ୧୮ଟି ବାଲି ଗାଡିକୁ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା ଜବତ କରିଛନ୍ତି l ସେଥିମଧ୍ୟରୁ ୧୭ଟି ହାଇୱା ଏବଂ ଗୋଟିଏ ଟ୍ରାକ୍ଟର ଅଛି l ଖବର ପାଇ ଗତ ସୋମବାର ବିଳମ୍ବିତ ରାତିରେ ଏସଡିପିଓ ବେହେରା ଏବଂ ସ୍ଥାନୀୟ ନନ୍ଦିପଦା ପୋଲିସ ସମଣା-ଅଣା ରାସ୍ତାର ଗୁହାଳଗଡିଆ ଛକ ନିକଟରେ ପହଞ୍ଚି ଥିଲେ l ସେହି ଛକ ଦେଇ ଯାଉଥିବା ବାଲି ଗାଡି ଗୁଡିକୁ ଅଟକାଇ ଯାଞ୍ଚ କରିଥିଲେ l କିନ୍ତୁ ରାତି ସମୟ ହୋଇଥିବାରୁ ସମସ୍ତ ଗାଡି ଡ୍ରାଇଭର ଫେରାର ହୋଇଯାଇଥିଲେ l ଗାଡି ଗୁଡିକୁ ନନ୍ଦିପଦା ଥାନା ନିକଟକୁ ଅଣାଯାଇଛି l

ଅଦ୍ୟାବଧି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣାପଡିଛି l ଏସଡିପିଓ ବେହେରା କହିଛନ୍ତି ଯେ ବେଆଇନ ବାଲି ପରିବହନ କରୁଥିବା ୧୮ଟି ଗାଡି ଜବତ ହୋଇଛି l ଡ୍ରାଇଭର ମାନେ ଫେରାର ଅଛନ୍ତି l ଥାନାରେ ୧୮ଟି ମାମଲା ରୁଜୁ ହେବ l ଆଗକୁ ଆହୁରି ଚଢ଼ାଉ ହେବ। ଅପରପକ୍ଷେ ବେଆଇନ ବାଲି ପରିବହନକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଖବରଦାତାଙ୍କ ନାମରେ ହାଟଡିହୀ ଅଞ୍ଚଳର ଜଣେ ବରିଷ୍ଠ ଖବରଦାତା ଦୁଇଟି ପର୍ଯ୍ୟାୟରେ ଫୋନ ପେ ଦ୍ୱାରା ୫୦ ହଜାର ଟଙ୍କା ହାତଗୁଞ୍ଜା ନେବା ଅସନ୍ତୋଷ କାରଣ ସାଜିଛି l ଯାହାକି ମୁଖ୍ୟ ଆଲୋଚନାର ପ୍ରସଙ୍ଗ ପାଲଟିଛି l
ସୂଚନା ଯୋଗ୍ୟ, କିଛି ଦିନ ହେବ ବାଲି ପରିବହନ ନେଇ ଆନ୍ଦୋଳନ ଏବଂ ପ୍ରତିବାଦ ଜୋର ଧରିଥିଲା l

 

Dharitri – Odisha’s No.1 Odia Daily