ଶୌଚାଳୟଠାରୁ ଛୋଟ ଅଫିସରେ ୧୭୬୪ କୋଟି କାରବାର

ମୁମ୍ବାଇ, ୨୪।୪: ଅଫିସ୍‌ର ଆକାର ଘର ଶୌଚାଳୟଠାରୁ ବି ଛୋଟ କିନ୍ତୁ କାରବାର ୧,୭୬୪ କୋଟିର। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ମହାରାଷ୍ଟ୍ରରେ ଏଭଳି ଏକ ଅଫିସ୍‌କୁ ଠାବ କରିଛି ଜିଏସ୍‌ଟି ଡିପାର୍ଟମେଣ୍ଟ। ମାତ୍ର ୩୫ ବର୍ଗଫୁଟ୍‌ର ଏହି କାର୍ଯ୍ୟାଳୟରେ ଚଢ଼ାଉ କରି ଅଧିକାରୀମାନେ ପ୍ରାୟ ୧୦ କୋଟି ନଗତ ଟଙ୍କା ଜବତ କରିଛନ୍ତି। ସୂଚନା ଅନୁସାରେ, ଜିଏସ୍‌ଟି ଡିପାର୍ଟମେଣ୍ଟ ଗତ ୧୬ ତାରିଖରେ ଚାମୁଣ୍ଡା ବୁଲିୟନ ନାମ୍ନୀ ଜଣେ ବ୍ୟକ୍ତିଙ୍କ ସାଉଥ୍‌ ମୁମ୍ବାଇର ଜାଭେରି ବଜାର ଓ ଅନ୍ୟ ସ୍ଥାନରେ ଥିବା ଘର ଏବଂ ଅଫିସ୍‌ରେ ଚଢ଼ାଉ କରିଥିଲେ। ରାଜ୍ୟ ଜିଏସ୍‌ଟି ଡିପାର୍ଟମେଣ୍ଟ ସହ କରିଥିବା ପଞ୍ଜୀକରଣରେ ସେ ଅନେକ କାର୍ଯ୍ୟାଳୟ ଓ ବ୍ୟବସାୟକୁ ଦର୍ଶାଇ ନ ଥିଲେ। ଗତ ୨୦ ତାରିଖରେ ଜିଏସ୍‌ଟି ଡିପାର୍ଟମେଣ୍ଟ ଅଧିକାରୀ ଶୌଚାଳୟଠାରୁ ଛୋଟ ଆକାରର ଉକ୍ତ ଅଫିସ୍‌ରେ ଚଢ଼ାଉବେଳେ ୯.୭୮ କୋଟି ନଗଦ ଟଙ୍କା, ପ୍ରାୟ ୧୩ ଲକ୍ଷ ଟଙ୍କା ମୂଲ୍ୟର ୧୯ କେ.ଜି. ରୂପା ଇଟା ଏବଂ ଅଫିସ୍‌ କାନ୍ଥରୁ ଅନେକ ମୂଲ୍ୟବାନ୍‌ ସମ୍ପତ୍ତି ଜବତ କରିଛନ୍ତି। ୨୦୧୯-୨୦ରେ କମ୍ପାନୀର ମୋଟ କାରବାର ୨୨.୮୩ ଲକ୍ଷ ଥିବାବେଳେ, ୨୦୨୦-୨୧ରେ ୬୫୨ କୋଟି ଏବଂ ୨୦୨୧-୨୨ରେ ୧,୭୬୪ କୋଟି ଟଙ୍କା ଥିବା ଜିଏସ୍‌ଟି ଟିମ୍‌ ଜାଣିବାକୁ ପାଇଛନ୍ତି। ଜବତ ଟଙ୍କାକୁ ୬ ଘଣ୍ଟା ଧରି ଗଣାଯାଇଥିଲା।