୧୭୦ କୋଟି ଲୋକ ଭୋକିଲା ରହିବା ଆଶଙ୍କା, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ…

ଜେନେଭା, ୧୮।୪ : ୟୁକ୍ରେନ ସଙ୍କଟ ସମ୍ପର୍କରେ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ରୁଷିଆ ଏବଂ ୟୁକେନ୍‌ ଯୁଦ୍ଧ ଯୋଗୁ ପୃଥିବୀର ଏକ ପଞ୍ଚମାଂଶ ଅନାହାରରେ ଅଛନ୍ତି। ସେ କହିଛନ୍ତି ୟୁକ୍ରେନ ସଙ୍କଟ ମାନବିକତାର ଏକ ପଞ୍ଚମାଂଶରୁ ଅଧିକ ୧୭୦ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟତାକୁ ଠେଲି ଦେବ।

ଫଳରେ ସେମାନେ ଭୋକିଲା ରହିବାର ଆଶଙ୍କା ରହିଛି। ରବିବାର ଦିନ ଚେକ ସେଜନାମ ଜାପ୍ରାଭି ପବ୍ଲିକେସନ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଗୁଟେରସ କହିଛନ୍ତି ଯେ ଆମେ ସମସ୍ତେ ୟୁକ୍ରେନ୍‌ ଘଟିଥିବା ଦୁଃଖଦ ଘଟଣା ଦେଖୁଛେ। କିନ୍ତୁ ଏହା ଏବେ ସୀମା ଅତିକ୍ରମ କରି ବିକାଶଶୀଳ ଦେଶ ଉପରେ ନୀରବ ଆକ୍ରମଣ ଆରମ୍ଭ କରିଛି।

ଗହମ ଏବଂ ବାର୍ଲିର ୩୦ ପ୍ରତିଶତ ଉତ୍ପାଦନ ୟୁକ୍ରେନ ଏବଂ ରୁଷିଆରେ ହୋଇଥାଏ। ମକା ଉତ୍ପାଦନର ଏକ ପଞ୍ଚମାଂଶ ଏବଂ ସୂର୍ଯ୍ୟମୁଖୀ ତେଲର ଅଧାରୁ ଅଧିକ ଏହି ଦୁଇ ଦେଶରୁ ଆସିଥାଏ। କିନ୍ତୁ ଯୁଦ୍ଧ ଯୋଗୁ ଖାଦ୍ୟ ଖାଦ୍ୟଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବା ସେ କହିଛନ୍ତି।

ଜାତିସଂଘର ମୁଖ୍ୟ ଗୁଟେରସ କହିଛନ୍ତି ଯେ ୪୫ଟି କମ ବିକଶିତ ଦେଶ ରୁଷିଆ ଏବଂ ୟୁକ୍ରେନରୁ ସେମାନଙ୍କ ଉତ୍ପାଦିତ ଗହମର ଏକ ତୃତୀୟାଂଶରୁ ଅଧିକ ଆମଦାନୀ କରୁଛନ୍ତି।

ମିଳିତ ଜାତିସଂଘର ମହାସଚିବ କହିଛନ୍ତି ଯେ ୟୁକ୍ରେନ ସଙ୍କଟ ଶସ୍ୟ ରପ୍ତାନିକୁ ବନ୍ଦ କରି ଯୋଗାଣ ଶୃଙ୍ଖଳାକୁ ବାଧା ଦେଉଛି ଏବଂ ଫଳରେ ଖାଦ୍ୟଶସ୍ୟ ଦାମ୍‌ ଆକାଶଛୁଆଁ ହୋଇଛି। ୨୦୨୨ ଆରମ୍ଭରୁ ଗହମ ଏବଂ ମକା ଦାମ୍‌ ୩୦ ପ୍ରତିଶତ ବୃଦ୍ଧି ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳ ଦାମ୍‌ ୬୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିବାବେଳେ ଗ୍ୟାସ ଏବଂ ସାର ମୂଲ୍ୟ ଦ୍ୱିଗୁଣିତ ହୋଇଛି।

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା ପୂର୍ବରୁ କହିଥିଲେ ଯେ ୟୁକ୍ରେନ ଯୁଦ୍ଧ ଚଳିତ ବର୍ଷର ୧୪୩ଟି ଅର୍ଥନୀତି ପୂର୍ବାନୁମାନକୁ ହ୍ରାସ କରିବ। ଏହା ବିଶ୍ୱ ଜିଡିପିର ୮୬ ପ୍ରତିଶତ।

ୟୁକ୍ରେନ ସଙ୍କଟ ମଧ୍ୟରେ ଖାଦ୍ୟ ନିରାପତ୍ତାକୁ ତୁରନ୍ତ ସମାଧାନ କରିବା ପାଇଁ ଆଇଏମଏଫ, ବିଶ୍ୱବ୍ୟାଙ୍କ, ବିଶ୍ୱଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚପି) ଏବଂ ବିଶ୍ୱବାଣିଜ୍ୟ ସଂଗଠନ (ଡବ୍ଲୁଟିଏଚଓ) ର ମୁଖ୍ୟମାନେ ମିଳିତ ବିବୃତ୍ତି ଜାରି କରିଛନ୍ତି।

Share