ଦେଶରେ ୧୭ ମହିଳା ଏମ୍‌ପି, ବିଧାୟକ ବିଲିୟନେୟାର: ୨୮%ଙ୍କ ନଁାରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୩୦।୪: ଭାରତରେ ୧୭ ଜଣ ମହିଳା ଏମ୍‌ପି ଏବଂ ବିଧାୟକ ହେଉଛନ୍ତି ବିଲିୟନେୟାର। ସେହିପରି ଦେଶର ୨୮% ମହିଳା ଜନପ୍ରତିନିଧିଙ୍କ ନଁାରେ ଆପରାଧିକ ମାମଲା ରହିଥିବା ନେଇ ନିର୍ବାଚନ ସଂସ୍କାର ଦିଗରେ କାର୍ଯ୍ୟ କରୁଥିବା ସଙ୍ଗଠନ ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ବୁଧବାର ଜାରି ଏକ ରିପୋର୍ଟରେ ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଦାଖଲ ସମୟରେ ଦେଶର ୫୧୨ ଜଣ ମହିଳା ଏମ୍‌ପି ଏବଂ ବିଧାୟକଙ୍କ ମଧ୍ୟରୁ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠକୁ ବିଶ୍ଲେଷଣ କରି ଏଡିଆର୍‌ ପକ୍ଷରୁ ଏହି ରିପୋର୍ଟକୁ ଜାରି କରାଯାଇଛି।

ଉକ୍ତ ରିପୋର୍ଟ ଅନୁଯାୟୀ, ଲୋକ ସଭାର ୭୫ ମହିଳା ଏମ୍‌ପିଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି ବିଲୟନେୟାର। ସେହିପରି ରାଜ୍ୟ ସଭାର ୩୭ ଜଣ ମହିଳା ସଦସ୍ୟଙ୍କ ମଧ୍ୟରୁ ୩ ଜଣ ବିଲିୟନେୟାର ହୋଇଥିବାବେଳେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୦୦ ମହିଳା ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଲିୟନେୟାର ରହିଛନ୍ତି। ଓଡ଼ିଶାର ୧୭ ମହିଳା ବିଧାୟକ ଓ ଏମ୍‌ପିଙ୍କ ମଧ୍ୟରୁ ଜଣେ ବିଲିୟନେୟାର ହୋଇଥିବା ଏହି ରିପୋର୍ଟ କହିଛି।

ଅନ୍ୟପକ୍ଷରେ, ଲୋକ ସଭାର ୨୪ (୩୨%) ମହିଳା ଏମ୍‌ପିଙ୍କ ନଁାରେ ଆପରାଧିକ ମାମଲା ଥିବାବେଳେ ରାଜ୍ୟ ସଭାର ୧୦ (୨୭%) ମହିଳା ସଦସ୍ୟ ଏବଂ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୧୦୯ (୨୭%) ମହିଳା ବିଧାୟକଙ୍କ ନଁାରେ ଆପରାଧିକ ମାମଲା ରହିଛି। ସେଥିମଧ୍ୟରୁ ୭୮ ଜଣ ମହିଳା ଜନପ୍ରତିନିଧିଙ୍କ ନଁାରେ ଗମ୍ଭୀର ଆପରାଧିକ ମାମଲା ରହିଛି। ଲୋକ ସଭାର ୧୪ (୧୯%) ମହିଳା ଏମ୍‌ପିଙ୍କ ନଁାରେ ଗମ୍ଭୀର ଆପରାଧିକ ମାମଲା ଥିବାବେଳେ ରାଜ୍ୟ ସଭାର ୭ (୧୯%) ମହିଳା ସଦସ୍ୟ ଏବଂ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୭ (୧୪%) ଜଣ ମହିଳା ବିଧାୟକଙ୍କ ନଁାରେ ଗମ୍ଭୀର ଆପରାଧିକ ମାମଲା ରହିଛି। ଓଡ଼ିଶାର ୪ ଜଣ ଜନପ୍ରତିନିଧିଙ୍କ ନଁାରେ ଆପରାଧିକ ମାମଲା ରହିଥିବା ବେଳେ ସେଥିମଧ୍ୟରୁ ୨ ଜଣଙ୍କ ବିରୋଧରେ ଗମ୍ଭୀର ଆପରାଧିକ ମାମଲା ରହିଛି।

ଏହି ରିପୋର୍ଟ ଅନୁଯାୟୀ, ଭାଜପାର ସର୍ବାଧିକ ୨୧୭ (୨୩%) ଜଣ ମହିଳା ଜନପ୍ରତିନିଧିଙ୍କ ନଁାରେ ଆପରାଧିକ ମାମଲା ରହିଥିବା ବେଳେ ଦଳର ୧୧% ମହିଳା ଏମ୍‌ପି ଓ ବିଧାୟକଙ୍କ ନଁାରେ ଗମ୍ଭୀର ଆପରାଧିକ ମାମଲା ରହିଛି। ସେହିପରି କଂଗ୍ରେସର ୮୩ ଜଣ (୩୪%) ମହିଳା ଜନପ୍ରତିନିଧିଙ୍କ ନଁାରେ ଆପରାଧିକ ମାମଲା ରହିଥିବା ବେଳେ ଦଳର ୨୦% ମହିଳା ଏମ୍‌ପି ଏବଂ ବିଧାୟକଙ୍କ ନଁାରେ ଗମ୍ଭୀର ଆପରାଧିକ ମାମଲା ରହିଛି। ସେହିପରି ରିପୋର୍ଟ ଅନୁଯାୟୀ, ଦେଶର ସମସ୍ତ ୫୧୨ ଜଣ ମହିଳା ଏମ୍‌ପି ଏବଂ ବିଧାୟକଙ୍କ ମୋଟ ସମ୍ପତ୍ତି ୧୦,୪୧୭ କୋଟି ହୋଇଥିବା ବେଳେ ପ୍ରତି ମହିଳା ଜନ ପ୍ରତିନିଧିଙ୍କର ହାରାହାରି ସମ୍ପତ୍ତି ହେଉଛି ୨୦.୩୪ କୋଟି। ଆନ୍ଧ୍ରପ୍ରଦେଶର ମହିଳା ବିଧାୟକଙ୍କର ହାରାହାରି ସମ୍ପତ୍ତି ୭୪.୨୨ କୋଟି ରହିଛି, ଯାହା ସାରା ଦେଶରେ ସର୍ବାଧିକ। ସେହିପରି ଭାରତର ସମୁଦାୟ ମହିଳା ଜନପ୍ରତିନିଧିଙ୍କ ମଧ୍ୟରୁ ୭୧% ସ୍ନାତକ କିମ୍ବା ଉଚ୍ଚ ଡିଗ୍ରୀଧାରୀ ହୋଇଥିବାବେଳେ ୨୪% ମହିଳା ଏମ୍‌ପି ଏବଂ ବିଧାୟକଙ୍କର ଶିକ୍ଷାଗତ ଯୋଗ୍ୟତ୍ୟା ପଞ୍ଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଅନ୍ୟପକ୍ଷରେ ଦେଶରେ ମହିଳା ଜନପ୍ରତିନିଧିଙ୍କ ହାରାହାରି ବୟସ ୪୯ ବର୍ଷ ଥିବା ଏହି ରିପୋର୍ଟ କହିଛି। ଲୋକ ସଭାରେ ମହିଳା ଏମ୍‌ପିଙ୍କ ହାରାହାରି ବୟସ ୫୫.୬ ହୋଇଥିବାବେଳେ ରାଜ୍ୟ ସଭାରେ ଏହା ୬୩ ବର୍ଷ ରହିଛି।

Share