ସ୍କୁଲରେ ନିଆଁ ଲାଗି ୧୭ ପିଲା ଦଗ୍ଧ

ଅବୁଜା(ନାଇଜେରିଆ),୬।୨ ଉତ୍ତରପଶ୍ଚିମ ନାଇଜେରିଆର ଏକ ଇସ୍‌ଲାମିକ୍‌ ସ୍କୁଲ୍‌ରେ ଗୁରୁବାର ନିଆଁ ଲାଗିଯିବାରୁ ଅନୂ୍ୟନ ୧୭ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିବାବେଳେ କର୍ତ୍ତୃପକ୍ଷ ଏହାର ତଦନ୍ତ ଚଳାଇଛନ୍ତି। ଜାମଫରା ରାଜ୍ୟର କୌରା ନାମୋଡା ଜିଲାରେ ଏହି ଅଗ୍ନିକାଣ୍ଡ ଘଟିଛି।

ନିଆଁ ଲାଗିବା ବେଳେ ସ୍କୁଲ୍‌ରେ ପ୍ରାୟ ୧୦୦ ଜଣ ଛାତ୍ରୀଛାତ୍ର ଥିଲେ। ନିଆଁରେ ପୋଡ଼ିଯାଇ ୧୭ ଜଣ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କର ମୃତ୍ୟୁ ଘଟିଥିବା ଦେଶର ଏମର୍ଜେନ୍ସି ରେସ୍ପନ୍ସ ସଂସ୍ଥା ପକ୍ଷରୁ କୁହାଯାଇଛି। ନାଇଜେରିଆ ରାଷ୍ଟ୍ରପତି ବୋଲା ଟିନୁବୁ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ସ୍କୁଲ୍‌ଗୁଡ଼ିକୁ ଆହ୍ବାନ ଦେଇଛନ୍ତି।