ତିହିଡି଼,୫୧(ସଞ୍ଜିତ ବଳ):ତିହିଡି଼ ତହସିଲ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଛତ୍ରପଦା ଗ୍ରାମର ପଣ୍ଡିତସାହିରେ ରବିବାର ବିଳମ୍ବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଏଥିରେ ୬ପରିବାରର ୧୬ ବଖରା ଘର ସହିତ ଗୋରୁ ଗୁହାଳ ପୋଡ଼ି ପାଉଁଶ ହୋଇଯାଇଛି l ଏହାଛଡ଼ା ୮ଟି ଗୋରୁ ଓ ୫ ଛେଳି ମଧ୍ୟ ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି l ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଲୋକମାନେ ପାଖକୁ ଯାଇ ନିଆଁ ଲିଭାଇବା ସମ୍ଭବ ହୋଇନଥିଲା l ଯାହାଫଳରେ ସମସ୍ତଙ୍କ ଘରେ ଥିବା ଧାନ ଚାଉଳ ସମେତ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି l ଗଦି ବଜାରରୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ସବୁ ପୋଡି ପାଉଁଶ ହୋଇ ସାରିଥିଲା l ତେବେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ l ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ି ନାହିଁ l ଅଗ୍ନି ବିପନ୍ନ ପରିବାର ଲୋକଙ୍କ କାନ୍ଦରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି l ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି l