ନୂଆଦିଲ୍ଲୀ,୨୭।୧: ମହିଳା ପ୍ରିମିୟର ଲିଗ ୨୦୨୬ର ୧୬ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ଭଦୋଦରାର କୋଟାମ୍ବି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍ରେ ଇଂଲଣ୍ଡର ନାଟ ସାଇଭର ବ୍ରଣ୍ଟ ଇତିହାସ ରଚିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ସେ ମହିଳା ପ୍ରିମିୟର ଲିଗ ଇତିହାସରେ ପ୍ରଥମ ଶତକ ହାସଲ କରିଥିଲେ। ନାଟ ସାଇଭର ବ୍ରଣ୍ଟ ୫୭ ବଲରେ ୧୦୦ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ୧୬ ଚୌକା ଏବଂ ଗୋଟିଏ ଛକା ମଧ୍ୟ ମାରିଥିଲେ। WPL ଇତିହାସରେ ନାଟ ସାଇଭର ବ୍ରଣ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଶତକ ହାସଲ କରିନାହାଁନ୍ତି।
ନାଟ ସାଇଭର-ବ୍ରଣ୍ଟ- ୧୦୦* (ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ୨୦୨୬)
ଜର୍ଜିଆ ଭୋଲ – ୯୯* (ୟୁପି ୱାରିୟର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ , ୨୦୨୫)
ସୋଫି ଡିଭାଇନ – ୯୯ (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ଗୁଜରାଟ ଜାଏଣ୍ଟ୍ସ, ୨୦୨୬)
ହରମନପ୍ରୀତ କୌର – ୯୫* (ମୁମ୍ବାଇ ଇଣ୍ଡିଆନ୍ସ ବନାମ ଗୁଜୁରାଟ ଜାଏଣ୍ଟ୍ସ, ୨୦୨୪)
ସ୍ମୃତି ମନ୍ଧାନା – ୯୬ (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ମୁମ୍ବଇ ଇଣ୍ଡିଆନ୍ସ, ୨୦୨୬)
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟିକା ସ୍ମୃତି ମନ୍ଧାନା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନାଟ ସାଇଭର ବ୍ରଣ୍ଟଙ୍କ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୯୯ ରନ କରିଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୦୦ ରନର ଟାର୍ଗେଟ ଦେଇଥିଲା। ନାଟ ସାଇଭର ବ୍ରଣ୍ଟଙ୍କ ବ୍ୟତୀତ ଓପନର ହେଲି ମାଥ୍ୟୁସ ମଧ୍ୟ ୩୯ ବଲରେ ୯ ଚୌକା ସହାୟତାରେ ୫୬ ରନ କରିଥିଲେ। ଅଧିନାୟିକା ହରମନପ୍ରୀତ କୌର ମାତ୍ର ୨୦ ରନ କରି ଆଉଟ ହୋଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଲରେନ ବେଲ ସର୍ବାଧିକ ଦୁଇଟି ଉଇକେଟ ନେଇଥିଲେ। ଶ୍ରେୟଙ୍କା ପାଟିଲ ଏବଂ ନାଦିନ ଡି କ୍ଲାର୍କ ପ୍ରତ୍ୟେକ ଗୋଟିଏ ଉଇକେଟ ନେଇଥିଲେ।
ଇଂଲଣ୍ଡ ମହିଳା ଦଳର ଷ୍ଟାର ଅଲରାଉଣ୍ଡର ନାଟ ସାଇଭର ବ୍ରଣ୍ଟ ତାଙ୍କ କ୍ୟାରିଅରରେ ୧୨ ଟେଷ୍ଟ, ୧୨୯ ଦିନିକିଆ ଏବଂ ୧୩୭ ଅନ୍ତର୍ଜାତୀୟ ଟି-୨୦ ଖେଳିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୮୮୩ ରନ କରିଛନ୍ତି ଏବଂ ୧୨ ଉଇକେଟ ନେଇଛନ୍ତି। ସେ ଦିନିକିଆ କ୍ରିକେଟରେ ୪,୩୫୪ ରନ ଏବଂ ୮୮ ଉଇକେଟ ନେଇଛନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ସେ ୨,୯୬୦ ରନ ଏବଂ ୯୦ ଉଇକେଟ ନେଇଛନ୍ତି।