ଜୁଆ ଆଡ୍ଡାରେ ଚଢ଼ାଉ: ୧୫୨ ଗିରଫ, ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ

ଛତ୍ରପୁର,(ଡି.ଏନ୍‌.ଏ.)/ବ୍ରହ୍ମପୁର ଅଫିସ,୭ା୧୦-କୁମାର ପୂର୍ଣ୍ଣିମା ପୂର୍ବରୁ ଗଞ୍ଜାମ ଜିଲାରେ ଏକାଧିକ ସ୍ଥାନରେ ଜୁଆଖେଳ ଚାଲିଛି। ପୋଲିସ ଜୁଆ ଆଡ୍ଡାରେ ଚଢ଼ାଉ କରି ପରମ୍ପରାର ଦ୍ୱାହି ଦେଇ ଏହି ବେଆଇନ ଖେଳରେ ମାତିଥିବା ଲୋକଙ୍କୁ ଧରୁଛି। ଗତ ୨୪ ଘଣ୍ଟାରେ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ଼ାରେ ଚଢ଼ାଉ କରି ମୋଟ ୧୫୨ ଜଣଙ୍କୁ ଗିରଫ କରିଛି। ସେଥିମଧ୍ୟରେ ଗଞ୍ଜାମ ପୋଲିସ ଜିଲାରୁ ୧୧୨ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କଠାରୁ ୨ ଲକ୍ଷ ୯୭ ହଜାର ୨୭୫ ଟଙ୍କା ଓ ୮ ଟି ମୋବାଇଲ ଜବତ କରାଯାଇଥିବା ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି।
ସେହିପରି ବ୍ରହ୍ମପୁର ପୋଲିସ ଜିଲା ଅଧୀନ ୪ଟି ଥାନା ଅଞ୍ଚଳରୁ ୫୦ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧ଲକ୍ଷ ୭୨ ହଜାର ୬୧୦ ଟଙ୍କା ଓ ୪୦ଟି ମୋବାଇଲ ଫୋନ୍‌ ଜବତ ହୋଇଥିବା ନେଇ ବ୍ରହ୍ମପୁର ଏସ୍‌ପି ଡା. ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି। ଆଗକୁ କୁମାର ପୂର୍ଣ୍ଣିମା ଓ ଦୀପାବଳୀ ଥିବାରୁ ଏହି ସ୍ପେଶାଲ ଡ୍ରାଇଭ୍‌ ଜାରି ରହିବ ବୋଲି କୁହାଯାଇଛି ।