କାର୍‌ ସହ ୧୫୦ କେଜି ଗଞ୍ଜେଇ ଜବତ, ଯୁବକ ଗିରଫ

ବ୍ରହ୍ମପୁର,୭ା୧୧( ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଯୁଗ୍ମ କମିଶନର ଡମ୍ବୁରଧର ଖଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସପି ଶ୍ରୁତିକାନ୍ତ ରାଉତଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଛି। ଉକ୍ତ ଟିମ ଶୁକ୍ରବାର ସଦର ଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ କେନାଲ ହୁଡା ନିକଟରେ ଜଗି ରହିଥିବା ବେଳେ ବ୍ରହ୍ମପୁର ଅଭିମୁଖେ ଆସୁଥିବା କାର ( ନଂ. ଓଆର ୦୨ ବିଇ – ୩୬୯୧)କୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ୩ଟି ଜରି ବସ୍ତାରେ ଥିବା ୧୫୦ କେଜି ଗଞ୍ଜେଇକୁ ଜବତ କରାଯାଇଥିଲା। ଉକ୍ତ କାରକୁ ପାଇଲଟିଂ କରୁଥିବା ବାଇକ (ନଂ. ଓ ୨୦ ଏ ୯୦୭୮)କୁ ଧରିବା ପାଇଁ ପିଛା କରିବା ବେଳେ କାର ଓ ବାଇକ ଚାଳକ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ। କାର ଭିତରେ ବସିଥିବା ଗଞ୍ଜେଇ ଚାଲାଣକାରୀଙ୍କୁ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚଢିପଢା ଗ୍ରାମର କୁମାର ପାଣି(୨୧)ଙ୍କୁ ଟିମ୍‌ କାବୁ କରିଥିଲା। ତାଙ୍କୁ ଜେରା ବେଳେ ଜଣାପଡିଛି ଯେ, ଉକ୍ତ ଗଞ୍ଜେଇ ଗଜପତି ଜିଲାରୁ ବ୍ରହ୍ମପୁର ଆସୁଥିଲା। ବ୍ରହ୍ମପୁରରୁ ଟ୍ରେନ ଯୋଗେ ତାହା ଉତ୍ତରପ୍ରଦେଶ ଚାଲାଣ ହୋଇଥାନ୍ତା ବୋଲି କୁମାର ପାଣି ବୟାନ ଦେଇଛନ୍ତି। ଜବତ ଗଞ୍ଜେଇ ଓ ଗାଡିର ମୂଲ୍ୟ ପ୍ରାୟ ୨୫ ଲକ୍ଷ ହେବ ବୋଲି ଡିଏସପି ରାଉତ ସୂଚନା ଦେଇଛନ୍ତି। ମାମଲା ନଂ ୪୭୯/୨୫-୨୬ ରେ ଅଭିଯୁକ୍ତ କୁମାରଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଏସଆଇ ଅଜିତ କୁମାର ନାୟକ, କନଷ୍ଟେବଲ୍‌ ପବିତ୍ର ସାମଲ, କୁମୁଦ ପ୍ରଧାନ, ସରୋଜ ସ୍ବାଇଁ, ସୌମ୍ୟ ରାଉତ , କପିଳାଶ ଭତ୍ରା ପ୍ରମୁଖ ସାମିଲ ଥିଲେ।

Dharitri – Odisha’s No.1 Odia Daily