୧୫୦ କୋଟି ସ୍କୁଲ ପିଲାଙ୍କ ପାଠପଢ଼ା ଠପ୍‌

ଓ୍ବାଶିଂଟନ, ୧୯।୭: ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀ ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ୧୫୦ କୋଟିରୁ ଅଧିକ ସ୍କୁଲ ପିଲାଙ୍କ ପାଠପଢ଼ା ଠପ୍‌ ହୋଇ ଯାଇଛି। ଭାରତ ଏବଂ ବାଂଲାଦେଶ ଭଳି ଦେଶରେ ୭୦ କୋଟି ପିଲା ସ୍କୁଲକୁ ଯାଇପାରୁ ନାହାଁନ୍ତି। ପିଲାଙ୍କ ପାଠପଢ଼ା କ୍ଷତିକୁ କିଭଳି ଭରଣା କରାଯିବ ସେନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍କୁଲ ବନ୍ଦ ଯୋଗୁ ଅଧିକ ଗରିବ ପିଲା କ୍ଷତିଗ୍ରସ୍ତ ହୋଇଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ସେମାନଙ୍କ ମଧ୍ୟରେ ବାଳିକାଙ୍କ ସଂଖ୍ୟା ଅଧିକ ରହିଛି। ବ୍ରିଟେନ୍‌ରେ ସେପ୍ଟେମ୍ବରଠାରୁ ସ୍କୁଲ ଖୋଲାଯିବା ଲାଗି ଯୋଜନା କରାଯାଇଛି। ବ୍ରିଟେନ୍‌ ସରକାର ସ୍କୁଲ ପିଲାଙ୍କ ପାଇଁ ୩୨୨୦ କୋଟି ଟଙ୍କା ନ୍ୟାଶନାଲ ଟ୍ୟୁଟରିଙ୍ଗ୍‌ ପ୍ରୋଗ୍ରାମ୍‌ର ଶୁଭାରମ୍ଭ କରିଛନ୍ତି। ଆମେରିକା ସରକାର ସ୍କୁଲ ଖୋଲିବା ନେଇ ମଧ୍ୟ ଯୋଜନା କରୁଛନ୍ତି। ତେବେ ସ୍କୁଲ ପିଲା ସାମାଜିକ ଦୂରତା ସହିତ ଅନ୍ୟାନ୍ୟ ମାର୍ଗଦର୍ଶିକାକୁ କେତେକ ଦୂର ପାଳନ କରିପାରିବେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଭାରତରେ ୩୩ କୋଟି ପିଲା ସ୍କୁଲ ନ ଯାଇପାରି ଘରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦.୩ ପ୍ରତିଶତ ସ୍କୁଲ ପିଲା ଅନ୍‌ ଲାଇନ୍‌ କ୍ଲାସ୍‌ କରିପାରୁଛନ୍ତି। ଅପରପକ୍ଷରେ ଅନ୍ୟ ପିଲାମାନେ ଲକ୍‌ଡାଉନ୍‌ରେ କିଭଳି ପାଠ ପଢ଼ିବେ ସେ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି।

Share