Categories: Home Leftଖେଳ

ବାରବାଟୀରେ ୧୫ରୁ ବି.ସି ମହାନ୍ତି ସ୍ମାରକୀ ଟି୨୦

କଟକ,୯ା୯ (ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆସନ୍ତା ୧୫ରୁ ବାରବାଟୀ ଷ୍ଟାଡିୟମ୍‌ରେ ପ୍ରଥମଥର ପାଇଁ ଭୈରବଚନ୍ଦ୍ର ମହାନ୍ତି (ବି.ସି. ମହାନ୍ତି) ସ୍ମାରକୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଖେଳାଯିବ। ୨୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଦୁଇଟି ଦଳ ବ୍ୟତୀତ ଆସାମ, ହିମାଚଳପ୍ରଦେଶ, କେରଳ, ହାଇଦ୍ରାବାଦ୍‌, ଝାଡଖଣ୍ଡ, ଛତିଶଗଡ଼ ଆଦି ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଟୁର୍ନାମେଣ୍ଟରେ ୧୪ଜଣ ଆଇପିଏଲ୍‌ ଖେଳାଳି ଯଥା ଶୁଭ୍ରାଂଶୁ ସେନାପତି, ରିୟାନ ପରାଗ, ବୈଭବ ଆରୋରା, ଶାହବାଜ ନଦିମ, ମୟଙ୍କ ଡାଗର, ବିରାଟ ସିଂ, ସୌରଭ ତିୱାରୀ, ବିଷ୍ଣୁ ବିନୋଦ, ଅନୁକୂଳ ରୟ, ବସିଲ୍‌ ଥମ୍ପି, ଅଜୟ ମଣ୍ଡଳ, ତନ୍ମୟ ଅଗ୍ରୱାଲ, ପ୍ରଶାନ୍ତ ଚୋପ୍ରା, ସଚିନ ବେବି, ପ୍ରମୁଖଙ୍କ ଖେଳ ଦେଖିବାକୁ ମିଳିବ। ପ୍ରତ୍ୟେକ ଦିନ ଦୁଇଟି ମ୍ୟାଚ୍‌ ହେବ। ପ୍ରଥମଟି ଦିନ ୨ଟା ଏବଂ ଦ୍ୱିତୀୟଟି ସନ୍ଧ୍ୟା ୬ଟାରୁ ଫ୍ଲଡ୍‌ଲାଇଟ୍‌ରେ ଖେଳାଯିବ। ଫ୍ୟାନ୍‌କୋଡ୍‌ ଆପ୍‌ରେ ମ୍ୟାଚଗୁଡିକର ସିଧାପ୍ରସାରଣ କରାଯିବ। ଶୁକ୍ରବାର ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିିତ ଏକ ଖବରଦାତା ସମ୍ମିଳନୀ ଟୁର୍ନାମେଣ୍ଟ ସମ୍ପର୍କରେ ସୂଚନା ଦେବାକୁ ଯାଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଥିଲେ, ଜାତୀୟସ୍ତର ଟୁର୍ନାମେଣ୍ଟ ଆୟୋଜନ କରି ଓଡ଼ିଶା ଖେଳାଳିମାନଙ୍କୁ ବିସିସିଆଇର ଘରୋଇ ସିଜନ ପୂର୍ବରୁ ପ୍ରସ୍ତୁତ କରିବା ଆମଲ ଲକ୍ଷ୍ୟ। ଏହା ଦ୍ୱାରା ରଣଜୀ ଟ୍ରଫି, ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଭଳି ପ୍ରତିଯୋଗିତାରେ ଆମ ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିବେ। ଆସନ୍ତା ବିସିସିଆଇ ପ୍ରତିଯୋଗିତା ପୂର୍ବରୁ ଏହା ଏକପ୍ରକାର ଚୟନର ମାନଦଣ୍ଡ ମଧ୍ୟ ହୋଇପାରିବ ବୋଲି ବେହେରା ପ୍ରକାଶ କରିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓସିଏ ଉପସଭାପତି ପଙ୍କଜଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବେହେରା, ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share