Categories: ଜାତୀୟ

ଗୁଜରାଟ ସୀମାରୁ ୧୫ ପାକିସ୍ତାନୀ ମତ୍ସ୍ୟଜୀବୀ ଗିରଫ

ଅହମଦାବାଦ,୨୪ା୮: ଗୁଜରାଟର କଚ୍ଛ ଜିଲା ଅନ୍ତର୍ଗତ ଭାରତ-ପାକ୍‌ ସୀମା ନିକଟରୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଶନିବାର ଏକ ଇଞ୍ଜିନ୍‌ ଚାଳିତ ବୋଟ୍‌ ଜବତ କରିବା ସହ ୧୫ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସ୍ବତନ୍ତ୍ର ଗୋଇନ୍ଦା ସୂଚନା ଅନୁଯାୟୀ, ବିଏସ୍‌ଏଫ୍‌ ଯବାନମାନେ ସୀମାନ୍ତ ଘାଟି ନିକଟବର୍ତ୍ତୀ କୋରି କ୍ରିକ୍‌ ଅଞ୍ଚଳରେ ତଲାସି ଅଭିଯାନ ଚଳାଇଥିଲେ। ଏହି ସମୟରେ ବୋଟ୍‌ ସହ ପାକିସ୍ତାନୀ ମତ୍ସ୍ୟଜୀବୀ ଧରାପଡ଼ିଛନ୍ତି। ସେମାନଙ୍କ ଘର ପାକ୍‌ ସିନ୍ଧ୍‌ ପ୍ରଦେଶ ଅନ୍ତର୍ଗତ ସୁଜାଓ୍ବାଲ ଜିଲାରେ।

ବୋଟ୍‌ରୁ ୫୦ କେ.ଜି. ମାଛ, ୯ଟି ମାଛଧରା ଜାଲ, ଡିଜେଲ, ଖାଦ୍ୟସାମଗ୍ରୀ, ବରଫ, ଲାଠି, ଗୋଟିଏ ମୋବାଇଲ୍‌ ଫୋନ୍‌ ଏବଂ ୨୦୦ ଟଙ୍କାର ପାକିସ୍ତାନୀ ନୋଟ୍‌ ମିଳିଛି। ଭାରତୀୟ ଜଳରାଶିରେ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ଉପସ୍ଥିତି ପଛର ଉଦ୍ଦେଶ୍ୟ ସମ୍ପର୍କରେ ତଦନ୍ତ କରାଯାଉଛି।

Share