Medical workers in protective suits tend to coronavirus patients at the intensive care unit of a hospital in Wuhan, China.
ନୂଆଦିଲ୍ଲୀ/ସୁରଟ, ୮।୫: କରୋନା ମହାମାରୀରୁ ଆରୋଗ୍ୟ ହେବା ପରେ ସଂକ୍ରମିତଙ୍କଠାରେ ବ୍ଲାକ୍ ଫଙ୍ଗସ୍ ବା ମୁକୋରମାଇକୋସିସ୍ ଭଳି ମାରାତ୍ମକ ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ଦିଲ୍ଲୀ ଓ ଗୁଜରାଟରେ ଦେଖାଦେଇଥିବା ଏହି ରୋଗରେ ଗତ ୧୫ ଦିନ ମଧ୍ୟରେ ୧୪ ଜଣ ଦୃଷ୍ଟିଶକ୍ତି ହରାଇଲେଣି। ଗୁଜରାଟର ସୁରଟ ହସ୍ପିଟାଲରୁ ସୁସ୍ଥ ହୋଇଥିବା ୪୦ କରୋନା ଆକ୍ରାନ୍ତଙ୍କଠାରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଦୃଷ୍ଟିଶକ୍ତି ହରାଇଥିବା ଜଣାପଡ଼ିଛି। ସେମାନଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲର ଡାକ୍ତରମାନେ କରୋନା ଆକ୍ରାନ୍ତଙ୍କଠାରେ ବ୍ଲାକ୍ ଫଙ୍ଗସ୍ ଠାବ କରିଛନ୍ତି। ଏଭଳି ୬ଟି ମାମଲା ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲକୁ ଆସିଥିବା ଏହାର ବରିଷ୍ଠ ଇଏନ୍ଟି ସର୍ଜନ ଡ. ମନୀଷ ମୁଞ୍ଜଲ କହିଛନ୍ତି। ଗତବର୍ଷ ମଧ୍ୟ କେତେଜଣ କରୋନା ରୋଗୀ ଦୃଷ୍ଟିଶକ୍ତି ହରାଇଥିଲେ। ଡାଇବେଟିସ୍ ଥିବା କରୋନା ରୋଗୀଙ୍କୁ ଅଧିକ ଷ୍ଟିରଏଡ୍ ଦେବା ଫଳରେ ବ୍ଲାକ୍ ଫଙ୍ଗସ୍ ମାମଲା ବଢ଼ୁଥିବା ହସ୍ପିଟାଲର ଇଏନ୍ଟି ବିଭାଗ ଅଧ୍ୟକ୍ଷ ଡ. ଅଜୟ ସ୍ବରୂପ କହିଛନ୍ତି। ସାଧାରଣତଃ କୋଭିଡ୍ରୁ ଭଲ ହୋଇଥିବା ଏବଂ ଡାଇବେଟିସ୍, କିଡ୍ନୀ, ହୃଦ୍ରୋଗ କିମ୍ବା କ୍ୟାନ୍ସର ଥିବା ରୋଗୀଙ୍କଠାରେ ଏଭଳି ସମସ୍ୟା ଦେଖାଯାଉଛି।