୧୪ ଥର ସାକ୍ଷାତ, ୬୨ ଇମେଲ୍‌: ଏପ୍‌ଷ୍ଟିନ୍‌-ପୁରୀ ସମ୍ପର୍କର ସ୍ପଷ୍ଟୀକରଣ ମାଗିଲା କଂଗ୍ରେସ

ନୂଆଦିଲ୍ଲୀ,୧୮ା୨(ପି.ଟି.):ଆମେରିକାର ଦୋଷୀସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ କେନ୍ଦ୍ରମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ୨୦୧୪ରୁ ୨୦୧୭ ମଧ୍ୟରେ ୧୪ ଥର ଭେଟିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ୬୨ଟି ଇ-ମେଲ୍‌ ଆଦାନପ୍ରଦାନ ହୋଇଥିଲା ବୋଲି କଂଗ୍ରେସ ମଙ୍ଗଳବାର ଅଭିଯୋଗ କରିଛି। ଏପ୍‌ଷ୍ଟିନ୍‌ ଫାଇଲ୍‌କୁ ନେଇ କେନ୍ଦ୍ରମନ୍ତ୍ରୀ ପୁରୀ ମିଛ କହୁଛନ୍ତି। ସେ ସ୍ପଷ୍ଟୀକରଣ ଦେବା ସହ ନିଜକୁ ସ୍ବଚ୍ଛ ସାବ୍ୟସ୍ତ କରିବାକୁ ବିରୋଧୀ ଦଳ ଆହ୍ବାନ ଦେଇଛି। ଏଥିସହିତ ପୁରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଅନ୍ୟ ପକ୍ଷରେ ବିରୋଧୀ ଦଳର ସମସ୍ତ ଅଭିଯୋଗକୁ କେନ୍ଦ୍ରମନ୍ତ୍ରୀ ଖଣ୍ଡନ କରିଛନ୍ତି।
ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀରେ କଂଗ୍ରେସ ଗଣମାଧ୍ୟମ ଓ ପ୍ରଚାର ବିଭାଗ ମୁଖ୍ୟ ପଓ୍ବନ ଖେରା କହିଛନ୍ତି, ୨୦୨୪ରୁ ୨୦୧୭ ମଧ୍ୟରେ ହରଦୀପ ପୁରୀ ଓ ଏପ୍‌ଷ୍ଟିନ୍‌ଙ୍କ ମଧ୍ୟରେ ୬୨ଟି ଇମେଲ୍‌ ଆଦାନପ୍ରଦାନ ହୋଇଥିଲା। ଏହା ବ୍ୟତୀତ ୨୦୧୪ ଜୁନ୍‌ ୫, ୬, ୮, ୯, ସେପ୍ଟେମ୍ବର ୧୯, ୨୩, ୨୪ ଏବଂ ଅକ୍ଟୋବର ୯ ଓ ୧୦ ତରିଖରେ ଉଭୟ ପରସ୍ପରକୁ ଭେଟି ଆଲୋଚନା କରିଥିଲେ। ପୁରୀ ୩୨ଟି ଇମେଲ୍‌ ଲେଖିଥିଲାବେଳେ ଏପ୍‌ଷ୍ଟିନ୍‌ ୩୦ଟି ଇମେଲ୍‌ ପଠାଇଥିଲେ।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ପରେ ଏଭଳି ଆଦାନପ୍ରଦାନ ଓ ସାକ୍ଷାତ୍‌ ୨୦୧୭ ପର୍ଯ୍ୟନ୍ତ ଲାଗିରହିଥିଲା। ପ୍ରଶ୍ନ ହେଉଛି ୨୦୧୪ ଜୁନ୍‌ରେ ପୁରୀ କେଉଁ ପଦବୀରେ ଥିଲେ ଏବଂ କେଉଁ କ୍ଷମତା ବଳରେ ସେ ଏପ୍‌ଷ୍ଟିନ୍‌ଙ୍କୁ ଭେଟିଥିଲେ ବୋଲି ଖେରା କହିଛନ୍ତି।
ଆମେରିକା ନ୍ୟାୟ ବିଭାଗ କିଛିଦିନ ପୂର୍ବରୁ ଯୌନ ଅପରାଧୀ ଏପ୍‌ଷ୍ଟିନ୍‌ଙ୍କ ତଦନ୍ତ ସମ୍ପର୍କିତ ଫାଇଲ୍‌ ପ୍ରକାଶ କରିଥିଲା। ଏପ୍‌ଷ୍ଟିନ୍‌ ଓ ତାଙ୍କ ସହଯୋଗୀ ଘିସ୍‌ଲେଇନ୍‌ ମାକ୍ସଓ୍ବେଲ୍‌ଙ୍କ ଦ୍ୱାରା ହାଇଥିବା ୨ଟି ଅପରାଧ ତଦନ୍ତ ସମ୍ପର୍କିତ ଅନେକ ହଜାର ପୃଷ୍ଠାର ଦସ୍ତାବିଜ୍‌ ଉକ୍ତ ଫାଇଲ୍‌ରେ ରହିଛି। ସେଥିରେ ଭ୍ରମଣ ଲିପି, ରେକର୍ଡିଂ, ଇମେଲ୍‌ ଆଦି ରହିଛି। ୨୦୧୯ରେ ହାଜତରେ ଏପ୍‌ଷ୍ଟିନ୍‌ଙ୍କ ମୃତ୍ୟ ଘଟିବା ଠାରୁ ଉକ୍ତ ଦସ୍ତାବିଜ୍‌ଗୁଡ଼ିକୁ ସଂରକ୍ଷିତ ରଖାଯାଇଥିଲା।
ପୁରୀ ଜଣେ ସାଧାରଣ ନାଗରିକ ହୋଇଥିବାବେଳେ ସେ ସରକାରୀ ନୀତିଗୁଡ଼ିକୁ ଏପ୍‌ଷ୍ଟିନ୍‌ଙ୍କ ସହ ଶେୟାର କରୁଥିଲେ କାହିଁକି ବୋଲି ଖେରା ପ୍ରଶ୍ନ କରିଛନ୍ତି। ପୁରୀ ପ୍ରଥମେ ଇସ୍ତଫା ଦେଇ ତାହା ପରେ ଘଟଣାକୁ ସ୍ପଷ୍ଟ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ସାକ୍ଷାତ୍‌କାରରେ ଗୋଟିଏ ପରେ ଗୋଟିଏ ମିଛ କହି ପୁରୀ ନିଜକୁ ଭୁଲ ପ୍ରମାଣିତ କରିଛନ୍ତି। ଏତେ ମିଛ କହି ସେ କାହାକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ଖେରା ପ୍ରଶ୍ନ କରିଛନ୍ତି।
ନୂଆଦିଲ୍ଲୀରେ ଚାଲିଥିବା ଏଆଇ ଇମ୍ପାକ୍ଟ ସମିଟ୍‌ରେ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ଅଂଶଗ୍ରହଣକୁ ନେଇ ଖେରା କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ସମିଟ୍‌ରେ ବିଲ୍‌ ଗେଟ୍ସ ଯୋଗଦେବେ ନାହିଁ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି। ଅନ୍ୟପକ୍ଷରେ ବିଲ୍‌ ଗେଟ୍ସ ସମିଟ୍‌କୁ ଆସି ଭାଷଣ ଦେବେ ବୋଲି ନିଜେ କହିଛନ୍ତି। ଯଦିଓ ଏପ୍‌ଷ୍ଟିନ୍‌ଙ୍କ କବ୍‌ଜାରେ ଥିବା ଯୁବତୀଙ୍କ ମଧ୍ୟରୁ କାହା ସହ ବିଲ୍‌ ଗେଟ୍ସ ଖରାପ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ ନାହିଁ, ତେବେ ସେ ଯୌନ ସଂକ୍ରାମକ ରୋଗରେ ପୀଡ଼ିତ ଥିଲେ ବୋଲି ଏପ୍‌ଷ୍ଟିନ ଅଭିଯୋଗ କରିଥିବା ଫାଇଲ୍‌ରେ ଉଲ୍ଲେଖ ରହିଛି।

 

Dharitri – Odisha’s No.1 Odia Daily