ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର ଜଣକ ନିଜ ଖେଳିବା ଘରେ ଏକ ଆଣବିକ ରିଆକ୍ଟର ପ୍ରସ୍ତୁତ କରିଛନ୍ତି, ଯାହାକି ପଦାର୍ଥ ବିଜ୍ଞାନରେ ପିଏଚ୍‌ଡି କରୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ସମ୍ଭବ ହୋଇନାହିଁ। ୭ମ ଗ୍ରେଡ୍‌ରେ ପାଠ ପଢୁଥିବା ଏଡେନ୍‌ ମ୍ୟାକ୍‌ ମିଲାନ୍‌ ନାମକ ଏହି ଛାତ୍ର ଜଣକ ୮ ବର୍ଷ ବୟସରୁ ନ୍ୟୁକ୍ଲିୟର ଫିଜିକ୍ସ ବିଷୟରେ ପଢିବା ଆରମ୍ଭ କରିବା ସହିତ ପରେ ପରେ ପରମାଣୁ ସଂଯୋଗ ବା ମିଶ୍ରଣ( ଫ୍ୟୁଜନ୍‌)କୁ ନେଇ ପଢ଼ିବା ଆରମ୍ଭ କରିଥିଲେ। ପ୍ରାୟ ୪ ବର୍ଷ ଧରି ସେ ଏ ସମ୍ପର୍କରେ ଘରେ ଗବେଷଣା କରି ନ୍ୟୁକ୍ଲିୟର ଫ୍ୟୁଜନ୍‌ରୁ କିଭଳି ଶକ୍ତି ଉତ୍ପନ୍ନ ହୁଏ ସେ ସମ୍ପର୍କରେ ଉଦ୍ୟମ କରି ରିଆକ୍ଟର ପ୍ରସ୍ତୁତ କରିବାକୁ ଲାଗିପଡ଼ିଥିଲେ। ନ୍ୟୁକ୍ଲିୟର ଫ୍ୟୁଜନ୍‌ ପ୍ରକ୍ରିୟାରେ ଦୁଇଟି ହାଲୁକା ପରମାଣୁ ନାଭିର ମିଶ୍ରଣ ଘଟି ଏକ ବଡ଼ ନାଭିକେନ୍ଦ୍ର ସୃଷ୍ଟି ହେବା ସହିତ ପ୍ରଚୁର ପରିମାଣରେ ଶକ୍ତି ଉତ୍ପନ୍ନ ହୋଇଥାଏ। ତେବେ ଏହି ଛାତ୍ର ଜଣକ ଘରେ ରିଆକ୍ଟର ପ୍ରସ୍ତୁତ କରିବାକୁ ମଧ୍ୟ ସମର୍ଥ ହୋଇଛନ୍ତି। ଏଡେନ୍‌ ଏଭଳି ଏକ ଗମ୍ଭୀର ବିଷୟରେ ଘରେ ଗବେଷଣା କରି ସରଞ୍ଜାମ ପ୍ରସ୍ତୁତ କରିବା ସମୟରେ ତାଙ୍କ ପରିବାର ଲୋକ ଉଦ୍‌ବେଗ ପ୍ରକାଶ କରିଥିଲେ। କିନ୍ତୁ ସେ ସୁରକ୍ଷା ପ୍ରୋଟେକଲ୍‌କୁ ନେଇ ତାଙ୍କ ମାଆଙ୍କୁ ଏଭଳି ବୁଝାଇପାରିଥିଲେ ଯେ, ତାହା ମାଆଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏଡେନ୍‌ଙ୍କ ଏହି କୃତିତ୍ୱକୁ ନେଇ ଆମେରିକାର ବିଭିନ୍ନ ମହଲରେ ବିସ୍ମୟ ପ୍ରକାଶ ପାଇଥିଲା ବେଳେ ଏହା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି ବୋଲି କୁହାଯାଇଛି।

 

Dharitri – Odisha’s No.1 Odia Daily

 

Share