ଜାପାନ ଦଳରୁ ଖେଳିଲେ ୧୨ ଜଣ

ଭୁବନେଶ୍ୱର,୧୮।୧ (କ୍ରୀଡ଼ା ପ୍ରତିନିଧି): ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାପାନ ବନାମ ଦକ୍ଷିଣ କୋରିଆ ହକି ବିଶ୍ୱକପ୍‌ ମ୍ୟାଚରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା। ଜାପାନ ୧-୨ ଗୋଲରେ ପଛୁଆ ରହିଥିବାରୁ ମ୍ୟାଚର ଶେଷ ୩ ମିନିଟ ଅଲ୍‌ଆଉଟ ଖେଳିଥିଲା। ଅର୍ଥାତ୍‌ ଦଳ ଗୋଲକିପରଙ୍କୁ ବାହାର କରି ୧୧ ଜଣ ଯାକ ଖେଳାଳିଙ୍କୁ ଆକ୍ରମଣରେ ଲଗାଇଥିଲା। ମାତ୍ର ଜାପାନର ୧୧ ଖେଳାଳି ପରିବର୍ତ୍ତେ ୧୨ ଖେଳାଳି ପଡ଼ିଆ ମଧ୍ୟରେ ଥିଲେ। ହଠାତ୍‌ ଏହି ଘଟଣା ମ୍ୟାଚ ପରିଚାଳନା କରୁଥିବା ଅଫିସିଆଲଙ୍କ ନଜରକୁ ଆସି ନ ଥିଲା। ଏହା ଜଣାପଡ଼ିବା ପରେ ଜାପାନ ଦଳକୁ ଏ ସମ୍ପର୍କରେ କୈଫିୟତ ମଗାଯାଇଥିଲା। ଏହା ଅଜାଣତରେ ହୋଇଥିବା ଜାପାନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କ୍ଷମାପ୍ରାର୍ଥନା କରାଯାଇଥିଲା। ଏହାପରେ କୋରିଆ ଦଳକୁ ଏ ସମ୍ପର୍କରେ ଅବଗତ କରାଇଥିଲା ଅନ୍ତର୍ଜାତୀୟ ହକି ଫେଡେରେଶନ। ଏହି ଘଟଣା କିଭଳି ଘଟିଲା ତା’ ଉପରେ ତଦନ୍ତ କରାଯାଉଛି ବୋଲି ଏଫ୍‌ଆଇଏଚ୍‌ ପକ୍ଷରୁ କୁହାଯାଇଛି। ୧୨ ଜଣ ଖେଳାଳି ପଡ଼ିଆରେ ଉପସ୍ଥିତ ଥିଲେ ମଧ୍ୟ ଜାପାନ ଏହି ମ୍ୟାଚରେ ୧-୨ ଗୋଲରେ ହାରି ଯାଇଥିଲା। ତେଣୁ କୋରିଆ ଦଳ ଏହାକୁ ବିଶେଷ ଗୁରୁତ୍ୱ ଦେଇ ନ ଥିଲା।