ଓମାନରେ ଫସିଛନ୍ତି ୧୨ ଓଡ଼ିଆ ଶ୍ରମିକ: ଉଦ୍ଧାର ପାଇଁ ନିବେଦନ

ଛତ୍ରପୁର, ୧୧।୨(ସନ୍ତୋଷ ପାଢ଼ୀ): ସୁଦୂର ଓମାନରେ ୧୨ ଜଣ ଓଡ଼ିଆ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ଭାରତ ପ୍ରତ୍ୟାବର୍ତ୍ତନ ଲାଗି ଏମାନେ ଭାରତ ସରକାର ଓ ରାଜ୍ୟ ସରକାରଙ୍କୁ ଏକ ଭିଡିଓ ବାର୍ତ୍ତା ଜାରି କରି ନିବେଦନ କରିଛନ୍ତି। ଏହି ଭିଡିଓ ବାର୍ତ୍ତା ଏବେ ଭାଇରଲ ହେବାରେ ଲାଗିଛି। ଏଥିରେ ଜଣେ ଶ୍ରମିକ ଗଞ୍ଜାମ ଜ଼ିଲାର ଅଛନ୍ତି। ସେ ହେଲେ ରମ୍ଭା ଥାନା ଅଧୀନ ବଡ଼ଚକଡା ଅନ୍ତଗର୍ତ୍ତ ତାରିଣୀପଲ୍ଲୀ ଗ୍ରାମର ବସନ୍ତ କୁମାର ସେଠୀ। ତାଙ୍କ ମା’
ଇନ୍ଦିରା ସେଠୀ ତାଙ୍କ ପୁଅଙ୍କୁ ଘରକୁ ଫେରାଇ ଆଣିବାକୁ ଜ଼ିଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ସେ ଜଣେ ହରିଜନ ଶ୍ରେଣୀର ମହିଳା ଅଟନ୍ତି ଓ ତାଙ୍କ ସ୍ବାମୀ ସୁରେନ୍ଦ୍ର ସେଠି ଜଣେ ଦିନ ମଜୁରିଆ ଭାବରେ ଅନ୍ୟର ମୂଲ ଲାଗିଲେ ତାଙ୍କ ପରିବାର ପ୍ରତିପୋଷଣ ହୁଏ ଓ ତାଙ୍କ ଘରର ଆର୍ଥିକ ସ୍ଥିତି ଦୁର୍ବଳ ହେତୁ ତାଙ୍କ ପୁତ୍ର ବସନ୍ତ କୁମାର ଓମାନକୁ ୫ ମାସ ହେଲା ଯାଇ ବେଲକୋ କମ୍ପାନୀ (ବ୍ରାଉନ ଏର୍ଥ ଟ୍ରେଡିଙ୍ଗ ଆଣ୍ଡ କଣ୍ଟ୍ରାକ୍ଟିଙ୍ଗ ଏଲଏଲସି କମ୍ପାନୀ)ରେ କାମ କରୁଥିଲେ। କିନ୍ତୁ ସେଠାରେ ତାକୁ କୌଣସି ପାରିଶ୍ରମିକ ଦିଆଯାଉନାହିଁ। ମୁହଁ ଖୋଲିଲେ ମାରିଦେବା ପାଇଁ ଧମକ ଦିଆଯାଉଛି। ଏହା ପ୍ରତିବାଦ କରିବାରୁ ତାଙ୍କ ପୁଅକୁ କମ୍ପାନୀରୁ ବାହାର କରି ଦିଆଯାଇଅଛିି। ତାର ପାସପୋର୍ଟ ଏବଂ ଆବଶ୍ୟକ କାଗଜପତ୍ର ଛଡାଇ ନିଆଯାଇଛି ବୋଲି ଅଭିଯୋଗ ହୋଇଛି । ଫଳରେ ସେ ଚାହିଁଲେ ସେଠାରୁ ମୁକୁଳି ସ୍ବଦେଶ ଫେରି ପାରୁନାହିଁ। ତାଙ୍କ ପୁଅର ଜୀବନ ପ୍ରତି ସେଠାରେ ବିପଦ ରହିଥିବା ସେ କହିଛନ୍ତି।