ଦେବଗଡ,୨୧।୮: (ଶଶାଙ୍କ ଶେଖର ଝାଙ୍କର): ଜିଲା ଯୁବ ଏକତା ମଞ୍ଚର ଡାକରାରେ ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେବଗଡ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ ସମସ୍ତ ରାଜନୈତିକ ଦଳ ଏବଂ ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଇଛନ୍ତି। ଫଳସ୍ୱରୂପ, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ଦୋକାନ ବଜାର ଏବଂ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଏହି ବନ୍ଦର ମୁଖ୍ୟ କାରଣ ହେଉଛି ଦେବଗଡ ସହର ମଧ୍ୟଭାଗରେ ଥିବା ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଦାବି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ସହରଠାରୁ ୫ କିଲୋମିଟର ଦୂରକୁ ସ୍ଥାନାନ୍ତର କରାଯାଇଥିବାରୁ ସହରର ପ୍ରାୟ ୪୦ ହଜାର ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂତନ ଚିକିତ୍ସାଳୟରେ ଆନୁସଙ୍ଗିକ ସୁବିଧାର ଅଭାବ ଥିବା ଅଭିଯୋଗ ହୋଇଛି।
ଏହି ଦାବିକୁ ନେଇ ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ସହ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ, କୌଣସି ସମାଧାନ ନ ମିଳିବାରୁ ଜିଲ୍ଲା ଯୁବ ଏକତା ମଞ୍ଚ ଏହି ବନ୍ଦ ଡାକରା ଦେଇଛି। ବନ୍ଦ ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥରେ ଶହ ଶହ ମାଲବାହୀ ଯାନବାହନ ଅଟକି ରହିଥିବା ବେଳେ ସକାଳ ୧୦ଟାରେ ପିକେଟିଂ ଜରିଆରେ ସମସ୍ତ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ସୂଚନା ମିଳିଛି।