୧୨ଘଣ୍ଟିଆ ବନ୍ଦ ଡାକରା: ପାଟଣାରେ ପ୍ରଭାବ

ପାଟଣା,୧୮।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଶ୍ୱହିନ୍ଦୁ ପରିଷଦର ୧୨ ଘଣ୍ଟିଆ କେନ୍ଦୁଝର ଜିଲା ବନ୍ଦ ଡାକରାକୁ ସମର୍ଥନ ଜଣାଇ ମଙ୍ଗଳବାର ସକାଳ ୬ ଟାରୁ ପାଟଣା ବଜାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିସହ ବିଶ୍ୱ ହିନ୍ଦୁପରିଷଦ, ଆରଏସଏସ ଓ ଭାଜପା ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ସ୍କୁଲ କଲେଜ, ବ୍ୟାଙ୍କ ବନ୍ଦ କରିବା ସହ ଟାୟାର ଜାଳି ପାଟଣା ବ୍ଲକ ଛକ, ମଙ୍ଗଳପୁର ଓ ପାଟଣା ବୈତରଣି ନଦୀ ପୋଲ ନିକଟରେ ରାସ୍ତା ବନ୍ଦ କରିଛନ୍ତି । ବନ୍ଦ ଯୋଗୁ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଓ ୨୨୦ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବ୍ୟାହତ ହୋଇଛି। ପାଟଣା ବ୍ଲକ ଛକ ନିକଟରେ ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇଛନ୍ତି ଆନ୍ଦୋଳନକାରୀ। ଫଳରେ ଯାତ୍ରୀ ମାନେ ନିଜ ନିଜ ଗନ୍ତବ୍ୟ ଯାଇ ନପାରି ହଇରାଣ ହେଉଥିବା ଦେଖିବା କୁ ମିଳିଛି।

ଏଥି ସହଏହି ବ୍ଲକ ୪୯ ନମ୍ବର ଜାତୀୟ ରାଜପଥ ଝାରବେଡା ଓ ବାଉଁଶୁଳି ଛକରେ ମଧ୍ୟ ଆନ୍ଦୋଳନ କରିଛନ୍ତିି। ଫଳରେ ୪୯ ନମ୍ବର ଜାତୀୟ ରାଜପଥରେ ଗାଡି ମୋଟର ଚଳାଚଳରେ ବ୍ୟାହତ ହେବା ସହ ରାଜପଥ ଉପରେ ଶହଶହ ଗାଡି ମୋଟର ଅଟକି ରହିଛି।
ଜିଲାର ବିଭିନ୍ନ ସ୍ଥାନରେ ରାହାଙ୍ଗିଆ ଓ ବାଙ୍ଗଲାଦେଶୀ ରହି ଅପରାଧିକ କାର୍ଯ୍ୟ ରେ ଲିପ୍ତ ରହୁଥିବା ସହ ସଦର ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଜନଜାତି ନାବାଳିକାଙ୍କୁ ଅନୱାର ଖାନ ନାମକ ଜଣେ ଯୁବକ ବଳାତ୍କାର କରିଥିବା ଘଟଣାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦେଇଛି।

ପାଟଣାରେ ବିଶ୍ବହିନ୍ଦୁ ପରିଷଦ ବ୍ଲକ ସଭାପତି ସନାତନ ଦାଶ ଓ ସମ୍ପାଦକ ଡମ୍ବରୁ ଧର ମହାନ୍ତଙ୍କ ନେତୃତ୍ୱରେ ଆରଏସଏସର ବିରଞ୍ଚି ମହାନ୍ତ, ଭାଜପା ମଣ୍ଡଳ ସଭାପତି ବ୍ରଜ ବନ୍ଧୁ ସେଠୀ, ବରିଷ୍ଠ ଭାଜପା ନେତା ଯୁଗଳ କିଶୋର ଦାଶ, ଦୁର୍ଗା ଚରଣ ନାୟକ, ଦୀନବନ୍ଧୁ ମିଶ୍ର, ସୁବ୍ରତ କୁମାର ଦ୍ୱିବେଦୀ,ପ୍ରକାଶ ସେଠୀ, ଯୁଧିଷ୍ଟିର ମହାନ୍ତ, ସଞ୍ଜୟ ପଲେଇ, ଜତିନ୍ଦ୍ର ଦାଶ, କୃଷ୍ଣ ଚନ୍ଦ୍ର ମହାନ୍ତ, ଯୁବ ନେତା ତାପସ ମିଶ୍ର, ଅଭିଷେକ ଦାଶ , ପ୍ରଫୁଲ୍ଲ କୁମାର ମହାନ୍ତ, ରବୀନ୍ଦ୍ର ମହାନ୍ତ, ଏସ୍‌କେ ମନ ଶୁର ପ୍ରମୁଖ ସାମିଲ ହୋଇଥିଲେ।

ସେହିଭଳି ତୁରୁମୁଙ୍ଗା ବନ୍ଦ ପାଳନରେ ଆରଏସଏସ ନେତା ମୋଚି ରାମ ସାହୁଙ୍କ ନେତୃତ୍ୱରେ ହୃଷିକେଶ ସାହୁ ତପନ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily