୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ: ଚକ-ଅଖ ସବୁ ଠପ୍‌

କଣ୍ଟାମାଳ,୧୯।୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲା କଣ୍ଟାମାଳକୁ ସବ୍‌ଡିଭିଜନ, ଏନ୍‌ଏସି ମାନ୍ୟତା ସହ ଏକ ସବ୍‌ଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର, ଗାଡ଼ି ଚଳାଚଳ ସବୁ ବନ୍ଦ ରହିଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ ବୋଲି କଣ୍ଟାମାଳ ଓକିଲ ସଂଘ ସଭାପତି ଦୂତିଆ ଚରଣ ସାହୁ କହିଛନ୍ତି।
ବୈଠକରେ ଓକିଲ ସଂଘ, ବଣିକ ସଂଘ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସମେତ ଅଞ୍ଚଳର ସଚେତନ ନାଗରିକ ଏବଂ ବିଭିନ୍ନ ସଙ୍ଗଠନର ସଦସ୍ୟ ଯୋଗ ଦେଇଥିଲେ। ବୌଦ୍ଧ ଜିଲାର ସର୍ବାଧିକ ପଞ୍ଚାୟତ ଓ ଲୋକସଂଖ୍ୟା ଥିବା କଣ୍ଟାମାଳକୁ ସବ୍‌ଡିଭିଜନ ଓ ଏନ୍‌ଏସି ମାନ୍ୟତା ସହ ଏକ ସବ୍‌ଜେଲ ପ୍ରତିଷ୍ଠା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି। ସମସ୍ତ ପାରିପାର୍ଶ୍ୱିକ ଦୃଷ୍ଟିରୁ ସବ୍‌ଡିଭିଜନ, ନୂତନ ଏନ୍‌ଏସି ଓ ସବ୍‌ଜେଲ ପାଇଁ ଜିଲାର କଣ୍ଟାମାଳ ହିଁ ଏକମାତ୍ର ଦାବିଦାର ରହିଆସିଛି। ନୂତନ ଏନ୍‌ଏସି ପାଇଁ ଆବଶ୍ୟକ ସମସ୍ତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି କଣ୍ଟାମାଳ ଓକିଲ ସଂଘ ଓ ଜନସାଧାରଣ ବିଭିନ୍ନ ସମୟରେ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ନିକଟରେ ଦାବି ରଖି ଆସିଛନ୍ତି। ରାଜ୍ୟରେ ନୂଆ ଏନ୍‌ଏସି ପାଇଁ ଗତ ଅଗଷ୍ଟ ୩୧ତାରିଖରେ ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଥିଲା। ଏଥିରେ ୧୦ ଜିଲାରେ ୧୬ ଏନ୍‌ଏସି ଓ ୩ ଜିଲାରେ ୭ଟି ଏନ୍‌ଏସିକୁ ମ୍ୟୁନିସିପାଲିଟି କରିବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ହେଲେ ଏହି ବିଜ୍ଞପ୍ତିରେ କଣ୍ଟାମାଳର ନାମ ନ ଥିଲା। ଏହାକୁ ନେଇ କଣ୍ଟାମାଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ନେଇ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେପ୍ଟେମ୍ବର ୪ତାରିଖରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ସମ୍ପର୍କରେ ସରକାରଙ୍କ ଟାଳଟୁଳ ନୀତି ଯୋଗୁ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।