ନବରଙ୍ଗପୁର,୧୧ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ରାଇଘର ଥାନା ଅଞ୍ଚଳର ନର୍ସିଂ ଛାତ୍ରୀଙ୍କ ଭୁବନେଶ୍ୱର ଏମ୍ସଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବା ପରେ ରାଜନୀତି ଜୋର ଧରିଛି। ପୀଡ଼ିତାଙ୍କ ପରିବାରକୁ ଏକ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ଜିଲା ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଦୀର୍ଘ ୨୪ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ମୃତ୍ୟୁ ପରେ ଆଜି ମୃତଦେହ ଜନ୍ମମାଟି ଡୁମୁରିମୁଣ୍ଡାକୁ ଫେରିଛି। ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମୃତଦେହ ଆସି ପହଞ୍ଚିଛି। ଡୁମୁରିମୁଣ୍ଡା ଗ୍ରାମରେ ପୋଲିସ ଛାଉଣୀ କରି ରଖିଛି, ମୃତଦେହ ପହଞ୍ଚିବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ବିଜେଡି ପକ୍ଷରୁ ବନ୍ଦ ପାଳନ କରାଯାଉଛି।
ବନ୍ଦ ପାଳନ ପ୍ରଭାବରେ ରାଇଘରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଜରୁରୀକାଳିନ ସେବାକୁ ବାଦ୍ ଦେଇ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି। ବିଜେଡି କର୍ମୀମାନେ ସକାଳୁ ରାଇଘର ହନୁମାନ ମନ୍ଦିର ଛକ ନିକଟରେ ଗାଡ଼ି ଅଟକାଇବା ସହ ରାସ୍ତା ଅବରୋଧ କରି ବସିଥିବା ଦେଖିବାକୁ ମିଳିଛି। ଘଟଣାକୁ ନେଇ ମୃତ ଛାତ୍ରୀଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ଓ ମଧ୍ୟ କ୍ଷତିପୂରଣ ନ ଦେବା ଯାଏ ମୃତଦେହ ସତ୍କାର ହେବ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ ଫୋଟୋ ଭାଇରାଲ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଏବେ ଯାଏ ଗିରଫ କରି ନାହିଁ ତୁରନ୍ତ ଗିରଫ ପାଇଁ ଦାବି କରିବା ସହ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ।