ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରେ ଥିବା ନିରଞ୍ଜନ ବେହେରାଙ୍କ ପାନ ଦୋକାନରୁ ଶନିବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ୧୧୧ ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି। ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ସଦଳବଳେ ପାଟ୍ରୋଲିଂ କରୁଥିବା ବେଳେ ନିରଞ୍ଜନ ତାଙ୍କ ପାନ ଦୋକାନରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ଖବର ପାଇ ଅତର୍କିତ ଚଢାଉ କରିଥିଲେ। ସାକ୍ଷ୍ୟମାନଙ୍କ ଉପସ୍ଥିତିରେ ଇନ୍ସପେକ୍ଟର ଦୋକାନ ଭିତରେ ଥିବା ବିଦେଶୀ ମଦ ବୋତଲଗୁଡ଼ିକୁ ଜବତ କରି ଦୋକାନ ମାଲିକଙ୍କୁ ଗିରଫ କରିଥିଲେ।ପରେ ଅପରାହ୍ନରେ ଅବକାରୀ ମାମଲା ନଂ.୪୯/୨୫-୨୬ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।