Categories: ଅନୁଗୋଳ

୧୧ କୁଇଣ୍ଟାଲ କେନ୍ଦୁପତ୍ର ଜବତ

ଛେଣ୍ଡିପଦା,୫।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ସୀମାନ୍ତ କଣିହାଁ ଅଞ୍ଚଳରୁ ଆସୁଥିବା ଏକ ଚୋରା କେନ୍ଦୁପତ୍ର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ (ନଂ. ଓଡି୦୫ବିସି -୮୪୧୩)କୁ ଛେଣ୍ତିପଦା ବନବିଭାଗ ଶନିବାର ଜବତ କରିଛି। କଣିହାଁ ଥାନା ଦେନାଳି ଅଞ୍ଚଳରୁ ବ୍ରାହ୍ମଣବିଲ ଦେଇ ଅନୁଗୋଳ ଆଡ଼କୁ ଉକ୍ତ ଚୋରା କେନ୍ଦୁପତ୍ର ବୋଝେଇ ଗାଡ଼ି ଯାଉଥିବାବେଳେ ବିଶେଷ ସୂତ୍ରରୁ ସୂଚନା ପାଇ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ରାଉଳ, କୋଶଳା ସେକ୍ସନ ଫରେଷ୍ଟର ଦୀପକ କୁମାର ସେଠୀଙ୍କ ସମେତ କର୍ମଚାରୀମାନେ ବ୍ରାହ୍ମଣବିଲ ରାସ୍ତାରେ ଭୋର ପ୍ରାୟ ୩ଟା ବେଳେ ଜଗି ରହିଥିଲେ। ସେଠାରୁ ଗାଡ଼ିକୁ ପିଛା କରି କୋଶଳା ମେଡିକାଲ ଛକ ନିକଟରେ ଅଟକାଇବାରେ ସକ୍ଷମ ହୋଇଥିଲେ। ବନ ବିଭାଗ କର୍ମଚାରୀଙ୍କୁ ଦେଖି ପିକ୍‌ଅପ୍‌ ଚାଳକ ଗାଡ଼ି ଛାଡି ଫେରାର ହୋଇଯାଇଥିଲେ। ଗାଡି ଯାଞ୍ଚ ବେଳେ ସେଥିରେ ୨୩୦ଟି ବଣ୍ଡଲ ଚୋରା କେନ୍ଦୁପତ୍ର ଥିବା ଦେଖିବାକୁ ମିଳିଥିଲା। ଏହାପରେ ବନ ବିଭାଗ ଗାଡି ଜବତକରି ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲା। ଜବତ କେନ୍ଦୁପତ୍ରର ଓଜନ ୧୧୫୦ କିଲୋଗ୍ରାମ ହେବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି। ଏ ନେଇ ବନବିଭାଗ ପକ୍ଷରୁ ନଂ. ୫/୨୨ରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।