ସପ୍ତାହକରେ ଗଲାଣି ୧୧ ଜୀବନ

ମାଲକାନଗିରି/ମାଥିଲି,୧୦ା୯(ଡି.ଏନ.ଏ): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଟେମୃପାଲି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଗତ ସପ୍ତାହକ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ମାଥିଲି ଉପଖଣ୍ଡ ଚିକିତ୍ସାଳୟରୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ସମୟରେ ଜଣକର ମୃତ୍ୟୁ ହୋଇଛି। ସେ ହେଲେ ହଳଦୀକୁଣ୍ଡ ଗ୍ରାମର ମାସା ମାଡ଼କାମି। ଅନ୍ୟପକ୍ଷରେ କ୍ବାକ୍‌ଙ୍କ ଦ୍ବାରା ଚିକିତ୍ସିତ ହେଉଥିବା ବେଳେ ରୋଗୀ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଶୁକ୍ରବାର ସମ୍ପୃୃକ୍ତ କ୍ବାକ୍‌ଙ୍କୁ ଗିରଫ କରି ମାଥିଲି ପୋଲିସ କୋର୍ଟଚାଲାଣ କରିଛି। ସମ୍ପୃକ୍ତ କ୍ୱାକ୍‌ ଜଣକ ହେଲେ ସାଲିମି ଗ୍ରାମର ନରେନ୍ଦ୍ର ମାଦ୍ରି। ମାଦ୍ରିଙ୍କ ବିରୋଧରେ ମାଥିଲି ସ୍ବାସ୍ଥ୍ୟ ଅଧିକାରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାଙ୍କ ନାମରେ ୧୮୨/୨୨ରେ ମାମଲା ରୁଜୁ ହୋଇଥିଲା। ଖବରରୁ ଜଣାପଡିଛି, ଗତ କିଛିଦିନ ହେବ ହଳଦୀକୁଣ୍ତରେ ଅଜଣା ରୋଗ ବ୍ୟାପୁଥିବା ଦେଖିବାକୁ ମିଳିଛି। ଏହି ରୋଗରେ ଆକ୍ରାନ୍ତ ହେଲେ ଲୋକଙ୍କ ହାତଗୋଡ଼ ଫୁଲିବା ସହ ଜ୍ୱରରେ ହଠାତ୍‌ ଲୋକଙ୍କ ମୃତ୍ୟୁ ହେଉଛି। ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନା ନ ଯାଇ ଗୁଣିଆ କିମ୍ବା କ୍ବାକ୍‌ଙ୍କ ଆଶ୍ରୟ ନେଉଛନ୍ତି। ଏହା ଜଣାପଡିବା ପରେ ଡାକ୍ତର ଅମିୟ ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ ହଳଦୀକୁଣ୍ତ ଗ୍ରାମକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି। ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ୧୫ଜଣଙ୍କୁ ମେଡିକାଲ ଆସିବାକୁ ପରାମର୍ଶ ଦେଇଥିଲେ। ତେବେ ଡାକ୍ତରଖାନାକୁ ଭରସା ନ କରି ମାତ୍ର ୪ ଜଣ ରୋଗୀ ଡାକ୍ତରଖାନା ଆସି ଭର୍ତ୍ତି ହୋଇଛନ୍ତି। ଗିରଫ କ୍ୱାକ୍‌ ମାଦ୍ରିଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକ କହିଛନ୍ତି। ସୂଚନାଯୋଗ୍ୟ, ଗିରଫ କ୍ବାକ୍‌ ଜଣକ ପୂର୍ବରୁ ଡ୍ରାଇଭର ଥିଲେ।