ମାଲକାନଗିରି,୧୧।୩(ସୁଚିତ୍ରା ଦାସ): ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି (ଡିକେଏସ୍ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ମାଓବାଦୀ ବିରୋଧୀ ଅଭିଯାନରେ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେଶନ ସମୟରେ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିବା ମଧ୍ୟ ଜଣାପଡିଛି। ଯାହାକି ମାଓବାଦୀ ସଂଗଠନର କାର୍ଯ୍ୟକଳାପକୁ ଏକ ବଡ଼ ଧକ୍କା ଦେବ ବୋଲି ଅନୁମାନ କରାଯାଉଛି।
ବିଜାପୁର ଜିଲା ସମେତ ବସ୍ତର ରେଞ୍ଜରର ବିଭିନ୍ନ ଜିଲାରେ ସୁରକ୍ଷା ବାହିନୀ ଅପରେସନ କରିବା ସହ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଥିଲେ। ଏହି ସମସ୍ତ ଉଦ୍ଧାର ସାମଗ୍ରୀ ଜଗଦଲପୁର ରେଞ୍ଜ ମୁଖ୍ୟାଳୟରେ ଆୟୋଜିତ ଆତ୍ମସମର୍ପଣ ଏବଂ ପୁନର୍ବାସ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହେବ ବୋଲି ସୁରକ୍ଷା ବାହିନୀ ପକ୍ଷରୁ ସୂଚନା ମିଳିଛି। ତେବେ ଖୁବଶୀଘ୍ର ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେବ ବୋଲି ଜଣାପଡିଛି।