ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ ଥରେ ଭଞ୍ଜ ସଙ୍ଗୀତ ଆସର ହେଉଛି। ଶନିବାର ତାହା ୧୦୦ ତମରେ ପହଞ୍ଚିଛି। ଭଞ୍ଜ ସଙ୍ଗୀତର ପ୍ରଚାର ଓ ପ୍ରସାର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ହେଉଛି। ଏଥିରେ ସରକାର ଏବଂ ଅଞ୍ଚଳବାସୀଙ୍କ ସହଯୋଗ ରହୁଛି। ଏହିଭଳି ଶନିବାର ଭଞ୍ଜନଗର ଟାଉନ ହଲ ଠାରେ ପୂର୍ବାହ୍ନରେ ଏକ ସଭା ହୋଇଥିଲା। ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସଭାପତି ପ୍ରଶାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗଦେଇ ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଆଶୋକ ମହାପାତ୍ରଙ୍କ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲେ। ଏଥିସହ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ମ୍ୟୁନିସିପାଲଟି ପକ୍ଷରୁ ଯାହା ସାହାଯ୍ୟ ସହଯୋଗ ଲୋଡ଼ା ଯୋଗାଇ ଦିଆଯିବ ବୋଲି କହିଥିଲେ। ଗବେଷକ ଡ. ସନ୍ତୋଷ କୁମାର ଶତପଥୀ, ଦିଗପହଣ୍ଡି ଅତିରିକ୍ତ ତହସିଲଦାର ଆଶୀଷ କୁମାର ନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଲୋକନାଥ ମହାନ୍ତି, ଡ ଉଷା ପାଢ଼ୀ, ବି ପ୍ରକାଶ ଚନ୍ଦ୍ର ପାତ୍ର, ଡ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, କୃତ୍ତିବାସ ବିଶାଳ, ଡ ଲମ୍ବୋଦର ପାଣିଗ୍ରାହୀ, ଅନନ୍ତ କର, ଡ ବାୟମନୁ ଚର୍ଚ୍ଚି, ମୋତିଲାଲ ପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ଅଶୋକ ମହାପାତ୍ର ସଭାକୁ ସଂଯୋଜନା କରିଥିବାବେଳେ ନାରାୟଣ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ।